ବ୍ରହ୍ମପୁର: ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଜରଡା ବଙ୍ଗଳା ରାସ୍ତାରେ ଥିବା ବାଳ ସୁଧାର ଗୃହରେ ଜଣେ ୧୫ବର୍ଷୀୟ ଅନ୍ତେବାସୀ ଆତ୍ମହତ୍ୟା କରିଛନ୍ତି । ସୁଧାର ଗୃହର ଅଧିକ୍ଷକ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିବାପରେ ପୋଲିସ ଶବ ଜବତ କରିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପଞ୍ଚନାମା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଆତ୍ମହତ୍ୟାର କାରଣ ଅଦ୍ୟାବଧି ସ୍ପଷ୍ଟ ହୋଇନଥିବା ପୋଲିସ କହିଛି । ମିଳିଥିବା ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲରେ ଏକ ନାବାଳିକା ଦୁଷ୍କର୍ମ ମାମଲାରେ ପୋଲିସ ଜଣେ ନାବାଳକଙ୍କୁ ଗିରଫ କରିଥିଲା । ଜେଜେବିରେ ହାଜର କରିବା ପରେ ତାଙ୍କୁ ବ୍ରହ୍ମପୁରସ୍ଥିତ ବାଳ ସୁଧାର ଗୃହକୁ ପଠାଯାଇଥିଲା । ସେ ଗତ ୨୪ତାରିଖରେ ଏଠାକୁ ଆସିଥିଲେ । ସେ ଅନ୍ୟ ୧୭ଜଣ ଅନ୍ତେବାସୀଙ୍କ ସହିତ ରହୁଥିଲେ । ସୋମବାର ସକାଳେ ଅନ୍ତେବାସୀ ପରିସ୍ରା କରିବାକୁ ଯାଇଥିବା ବେଳେ ଶୌଚାଳୟରେ ତାଙ୍କର ଝୁଲନ୍ତା ଶବ ଦେଖିବାକୁ ପାଇଥିଲେ । ଘଟଣା ସମ୍ପର୍କରେ ସୁରକ୍ଷରକର୍ମୀଙ୍କୁ ଖବର କରାଯାଇଥିଲା । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ôଚ ଶବ ଜବତକରି କେଶ୍ ନମ୍ବର ୨୯୪/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ନାବାଳକଜଣକ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ପୋଲିସ କହିଛି । ମୃତ ନାବାଳକଙ୍କ ପରିବାରବର୍ଗଙ୍କୁ ମଧ୍ୟ ଖବର କରାଯାଇଛି । ଗତ ୨/୩ଦିନ ତଳେ ସେ ତାଙ୍କ ବାପାଙ୍କ ସହିତ ଫୋନ୍ରେ କଥା ହୋଇଥିଲେ । ସୋମବାର ତାଙ୍କର ଝୁଲନ୍ତା ଶବ ଉଦ୍ଧାର ହୋଇଛି । ନାବାଳକଜଣକ କୌଣସି କାରଣକୁ ନେଇ ମାନସିକ ଚାପରେ ରହିଥିବା ପୋଲିସ ଅନୁମାନ କରୁଛି । ଏ ଦିଗରେ ଅଧିକ ତଦନ୍ତ ଚାଲିଥିବା ବୈଦ୍ୟନାଥପୁର ଥାନାଧିକାରୀ ସାରଦା ପ୍ରସନ୍ନ ଦାଶ ସୂଚନା ଦେଇଛନ୍ତି । ଏଭଳି ଘଟଣାକୁ ନେଇ ପୁଣିଥରେ ସୁଧାର ଗୃହର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଗତ ମେ ମାସରେ ଗୃହରୁ ୭ଜଣ ଅନ୍ତେବାସୀ ସୁରକ୍ଷା କର୍ମୀଙ୍କୁ ମାଡ ମାରି ଚମ୍ପଟ ମାରିଥିଲେ । ତନ୍ମଧ୍ୟରୁ ପୋଲିସ ୪ଜଣଙ୍କୁ ଧରିଛି । ଅଦ୍ୟାବଧି ଆହୁରି ୩ଜଣ ଫେରାର୍ ରହିଛନ୍ତି ।
Related Stories
November 22, 2024