ଜଟଣୀ – ଲଘୁଚାପଜନିତ ଲଗାଣ ବର୍ଷା ସୋମବାର ଠାରୁ ଆରମ୍ଭ ହୋଇଛି । ତେବେ ଏହାର ସୁଯୋଗ ନେଇ ଜଟଣୀ ବ୍ଲକ୍ ଅନ୍ତର୍ଗତ କେତେକ ପଂଚାୟତର ଗ୍ରାମାଂଚଳରେ ଦୈନନ୍ଦିନରେ ବ୍ୟବହୃତ ସାମଗ୍ରୀର ଦର ଆକାଶ ଛୁଆଁ ହୋଇଛି । ଫଳରେ ଗରିବ, ଅସହାୟ ଓ ମଧ୍ୟବିତ ପରିବାରରେ ଭାଳେଣୀ ପଡିଛି ।
ସୂଚନାନୁସାରେ, ଜଟଣୀ ଅଂଚଳରେ ସୋମବାର ଠାରୁ ୨୮ ମି.ମି. ଓ ୧୦୫ ମି.ମି. ଲଘୁଚାପଜନିତ ଲଗାଣ ବର୍ଷା ହେବା ରେକର୍ଡ଼ କରାଯାଇଥିଲା । ତେବେ ଏହି ପରିପ୍ରେକ୍ଷୀରେ ଜଟଣୀ ଅଂଚଳର ତଳିଆ ଓ ଗ୍ରାମାଂଚଳଗୁଡିକର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଏହି ବ୍ଲକ୍ ଅନ୍ତର୍ଗତ ବେଣାଂପଜରୀ ପଚାଂୟତର ବୁଢାଙ୍ଗରା, ପାଣ୍ଡିଆବିଲ୍ଲୀ, ଡେଲାଙ୍ଗଚାରିପଡ଼ା, ଜୋରକଣୀ ପ୍ରଭୃତି ଗ୍ରାମକୁ ଯାତାୟତ ପାଇଁ ପ୍ରାୟତଃ ସବୁ ଋତୁରେ ରାସ୍ତାର ସୁବିଧା ନଥାଏ । ଯଦ୍ୱାରା ଏହି ଲଘୁଚାପଜନିତ ବର୍ଷା ଯୋଗୁଁ ଗ୍ରାମ ଗୁଡିକରେ ଥିବା ଗ୍ରୋସରୀ, ପରିବା, ଔଷଧ ଓ ପେଟ୍ରୋଲ୍, ଡିଜେଲ୍ ଭଳି ଦୈନନ୍ଦିନ ବ୍ୟବହୃତ ସାମଗ୍ରୀ ଗୁଡିକର ଦର ଏଠାରେ ଆକାଶ ଛୁଆଁ ହୋଇଥିବା ଅଭିଯୋଗ ହୋଇଛି । ଆଳୁ ଦର କେଜି ପ୍ରତି ୨୦-୨୫ ଟଙ୍କା, ପିଆଜ ୭୦, ଟମାଟୋ ୫୦, ବାଇଗଣ ୫୦ ଟଙ୍କା କିଲୋପ୍ରତି ବିକ୍ରି ହେଉଥିବା ବେଳେ ଗ୍ରୋସରୀ ସାମଗ୍ରୀ ମଧ୍ୟ ବଜାର ପାଇକାରୀ ଦର ଠାରୁ ୨ ଗୁଣା ଅଧିକ । ସେହିପରି ପେଟ୍ରୋଲ୍ ଦର ଲିଟର ପିଛା ୯୦-୧୦୦ ଟଙ୍କା ଥିବାବେଳେ ଡିଜେଲ୍ ଦର ୮୦ ଓ କିରୋସିନ୍ ୬୦ ଟଙ୍କାରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ଏନେଇ ଦୋକାନୀମାନଙ୍କୁ ଚଢ଼ା ଦର ସମ୍ବନ୍ଧରେ ଅଭିଯୋଗ କରିବାରେ ରାସ୍ତାଘାଟର ସମସ୍ୟା ଯୋଗୁଁ ମାଲ୍ ଆସିପାରୁନାହିଁ, ଯେଉଁଥିପାଇଁ ଦରବୃଦ୍ଧି ଘଟୁଥିବା ଦର୍ଶାଇଛନ୍ତି ।
ଜଟଣୀ ବ୍ଲକ୍ ର କେତେକ ପଂଚାୟତରେ ଏହି ସମସ୍ୟା ଦେଖିବାକୁ ମିଳିଛି । ତେବେ ଗ୍ରାମାଂଚଳରେ ରହୁଥିବା ଶ୍ରମିକ ଶ୍ରେଣୀୟ, ଦିନମଜୁରିଆ, ମଧ୍ୟବିତ ଓ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକମାନଙ୍କ ଅବସ୍ଥା ଏହି ଦରବୃଦ୍ଧି ଯୋଗୁଁ ଦ୍ୱିଗୁଣିତ ହେଉଥିବା ଜଟଣୀ ଅଂଚଳର କେତେକ ବୃଦ୍ଧିଜୀବୀ ଓ ସମାଜସେବୀ ମାନେ ସୂଚନା ଦେଇଛନ୍ତି । ଏଥିପ୍ରତି ବିଭାଗୀୟ ଅଧିକାରୀମାନେ ଦୃଷ୍ଟି ଦେବା ପାଇଁ ଦାବି ହୋଇଛି ।
Related Stories
November 25, 2024