ଗଞ୍ଜାମ– ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଦୃତ ଗତିରେ ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ପାଇଁ ଏହା ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏବଂ ଏହା ଗୋଷ୍ଠୀ ସଂକ୍ରମଣକୁ ମୁହାଁଉଥିବା ନେଇ ଜିଲ୍ଲା ପ୍ରଶାସନ ଉପଲବ୍ଧି କରିଥିବା ଜଣାପଡିଛି । ପଦକ୍ଷେପ ସ୍ୱରୂପ ବ୍ରହ୍ମପୁର ସହରର ୨୯ ଟି ଅଂଚଳକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି । ସେହି ଅଂଚଳ ଗୁଡିକ ହେଲା ବ୍ରହ୍ମପୁର ସହରର ଲକ୍ଷ୍ମୀନୃସିଂହ ସାହି, କାଶୀନଗର, ଗଣପତି ସାହି, ବିଲସାହି, ସାହୁ କଲୋନୀ, ତୁଳସୀନଗର, ଭାବା ନଗର, ବ୍ୟାଙ୍କ କଲୋନୀ, ବଡ଼ ବଜାର ଗୌଡ଼ସାହି, ପ୍ରେମନଗର, ପଚାଂନନ ନଗର, ବିମଳା ନଗର, ବର୍ମା କଲୋନୀ, ବାବାଜୀ ତୋଟା ସାହି, ବୈକୁଣ୍ଠ ନଗର, ଗାନ୍ଧିନଗର, କୌତୁକିନଗର, ରାଜାରାଣୀ ଆପାର୍ଟମେଂଟ, ଗୋଦାବରୀଶ ନଗର, ରାମକୃଷ୍ଣ ନଗର, ସ୍ପେକ୍ଟ୍ରମ୍ ଆପାର୍ଟମେଂଟ, ଅଶୋକ ନଗର, କୃଷ୍ଣ ନଗର, ସିଦ୍ଧାର୍ଥ ନଗର, ବାପୁଜୀନଗର, ଅଯୋଦ୍ଧା ନଗର, ଉମା ନଗର, ବାଞ୍ଛାନଗର ତୃତୀୟ ଲେନ୍ । ଏତଦ୍ ବ୍ୟତୀତ ଜିଲ୍ଲାର ପ୍ରାୟ ଅର୍ଦ୍ଧେକ ଅଂଚଳକୁ କଂଟେନମେଂଟ ଜୋନ୍ ଘୋଷଣା କରାଯିବା ସହିତ ଏହାକୁ ସିଲ୍ କରାଯାଇଛି । ତଥାପି କରୋନା ସଂକ୍ରମଣକୁ ରୋକାଯାଇପାରୁନଥିବାରୁ ପ୍ରଶାସନ ପାଇଁ ଯେତିିକି ଚିନ୍ତାର କାରଣ ହୋଇଛି, ଜନସାଧାରଣ ମଧ୍ୟ ସେତିକି ଆତଙ୍କିତ ହୋଇପଡିଥିବା ଜଣାପଡିଛି ।ଏହା ସତ୍ୱେ କେତେକ ବେପରୁଆ ଓ ଅମାନିଆ ଲୋକ ସେମାନଙ୍କର ଦୈନନ୍ଦିନ ଜୀବନ ଶୈଳିରେ ପରିବର୍ତନ ଆଣୁନଥିବାରୁ ଏହା ଜନସାଧାରଣଙ୍କ ପାଇଁ ଉଦବେଗର କାରଣ ହୋଇଛି । ବ୍ରହ୍ମପୁର ସହର ଠାରୁ ୧ କି.ମି. ଦୂରରୁ ଅଧିକ ଦୂରକୁ କେହି ନଯିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।