କଟକ – କଟକ ଜିଲ୍ଲା ବାଆଁରା କୁଅମଡ଼ା ଗ୍ରାମ ନିକଟ ଜଙ୍ଗଲରେ ଆଜି ସକାଳେ ଏକ ଅସୁସ୍ଥ ମାଈ ହାତୀକୁ ଠାବ କରାଯାଇଛି । ହାତୀଟି ଅସୁସ୍ଥ ଅବସ୍ଥାରେ ସେଠାରେ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ସେମାନେ ଏ ସମ୍ପର୍କରେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବାଙ୍କୀ ଡ଼ମପଡା ବନ ବିଭାଗ ଅଧିକାରୀ ସଦଳବଳେ ଘଟଣାସ୍ଥଳରେ ପହଂଚି ପରିସ୍ଥିତି ଉପରେ ନଜର ରଖିଛନ୍ତି । ହାତୀଟି ହରପିସ୍ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି । ଅନ୍ୟପକ୍ଷରେ ଭୁବନେଶ୍ୱର ଓୟୁଏଟି ଓ ଆସାମରୁ ଆସିଥିବା ଏକ ବିଶେଷଜ୍ଞ ଟିମ୍ ଘଟଣାସ୍ଥଳରେ ପହଂଚି ହାତୀଟିର ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି । ଏହି ପରୀକ୍ଷାରୁ ଯଦି ହାତୀଟି ହରପିସ୍ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୁଏ । ତେବେ ଖୁବ୍ ଶୀଘ୍ର ତା’ର ଆବଶ୍ୟକୀୟ ଚିକିତ୍ସା ଆରମ୍ଭ ହେବ ବୋଲି ଜଣାପଡିଛି ।
ଗତ ଦୁଇ ଦିନ ତଳେ ସମ୍ପୃକ୍ତ ଅଂଚଳରେ ଏକ ହାତୀ ପଲ ବୁଲୁଥିବା ଦେଖିବାକୁ ମିଳିଥିଲା । ଏହି ପଲରେ ୧୩ଟି ହାତୀ ଥିଲେ । ତନ୍ମଧ୍ୟରୁ ଏହି ହାତୀଟି ଚାଲିବାକୁ ଅକ୍ଷମ ହେବାରୁ ଅନ୍ୟ ହାତୀ ମାନେ ତାକୁ ସେଠାରେ ଛାଡି ଚାଲି ଯାଇଥିବା ସନ୍ଦେହ କରାଯାଉଛି ।
ଏନେଇ ପିସିସିଏଫ ହରିଶଙ୍କର ଉପାଧ୍ୟାୟ କହିଛନ୍ତି, ଆମ ଡାକ୍ତରୀ ଟିମ୍ ସନ୍ଦେହ କରୁଛନ୍ତି ଯେ, ହାତୀଟି ହରପିସ୍ ଭୂତାଣୁରେ ସଂକ୍ରମିତ ହୋଇଥାଇପାରେ । ହାତୀର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି । ବିଶେଷ କରି ହରପିସ୍ ଭୂତାଣୁ ଚିହ୍ନଟ ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ପଦ୍ଧତି ନାହିଁ । କୌଣସି ହାତୀ ଏଥିରେ ସଂକ୍ରମିତ ହେବାର ଲକ୍ଷଣ ଦେଖାଦେଲେ ପ୍ରଥମେ ସଂକ୍ରମିତ ପ୍ରାଣୀକୁ ଅନ୍ୟମାନଙ୍କ ଠାରୁ ଅଲଗା କରି ରଖାଯାଉଛି । ଏହାପରେ ଭାରତ ଓ ଭାରତ ବାହାରେ ଥିବା ବିଶେଷଜ୍ଞ ମାନଙ୍କ ସହିତ ପରାମର୍ଶ କରାଯାଇ ସେମାନଙ୍କର ଚିକିତ୍ସା କରାଯାଉଛି ।
Related Stories
November 25, 2024