
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି । ଜିଲ୍ଲାରେ ଗୋଟିଏ ପରେ ଗୋଟିଏ ଜୀବନ ନେଉଛି କରୋନା । ଫଳରେ ଜିଲ୍ଲାବାସୀ ଭୟଭୀତ ହୋଇପଡିଛନ୍ତି । ରବିବାର ଜିଲ୍ଲାରେ ଆଉ ଜଣେ ୭୫ବର୍ଷୀୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ ବୋଲି କୁହାଯାଇଛି । ଜିଲ୍ଲାରେ ପୁଣି ୧୭ଜଣ କରୋନା ଯୋଦ୍ଧାଙ୍କ ସମେତ ୭୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟ୍ୱିଟ୍କରି ସୂଚନା ଦେଇଛନ୍ତି । ୧୭ଜଣ ଯୋଦ୍ଧାଙ୍କ ମଧ୍ୟରୁ ଆସିକା ୬, ବ୍ରହ୍ମପୁର ମହାନଗର ନିଗମ ୧, ଭଞ୍ଜନଗର ୪, ଧରାକୋଟ ୧, କବିସୂର୍ଯ୍ୟନଗର ୩ ଓ ପୋଲସରା ଅଞ୍ଚଳର ୨ଜଣ ଯୋଦ୍ଧା ରହିଥିବା ସେ ଟ୍ୱିଟ୍ରେ ଦର୍ଶାଇଛନ୍ତି । ମୁମ୍ବାଇ, ଶ୍ରୀକାକୁଲମ୍ ଓ ମଧ୍ୟପ୍ରଦେଶ ଭଳି ଟ୍ରାଭେଲ ହିଷ୍ଟ୍ରିରେ ରହିଥିବା ପୁରୁଷୋତ୍ତମପୁର ଅଞ୍ଚଳର ଜଣେ, ଛତ୍ରପୁରର ଜଣେ ଏବଂ ବେଲଗୁଣ୍ଠା ଅଞ୍ଚଳର ଜଣେ କରୋନା ଚିହ୍ନଟ ହୋଇଛନ୍ତି । ଏହାସହ ଜିଲ୍ଲାରେ ଆକ୍ଟିଭ ପଜିଟିଭ କେଶ୍ ୫୬ଜଣ ଅଛନ୍ତି । ସେଥିରୁ ଆସିକା ୩, ବେଲଗୁଣ୍ଠା ୨, ବ୍ରହ୍ମପୁର ମହାନଗର ନିଗମ ୬, ଭଞ୍ଜନଗର ୧, ବୁଗୁଡା ୪, ଛତ୍ରପୁର ୯, ଧରାକୋଟ ୧, ଦିଗପହଣ୍ଡି ୨, ହିଞ୍ଜିଳି ୩, କବିସୂର୍ଯ୍ୟନଗର ୧୦, ଖଲ୍ଲିକୋଟ ୧, କୁକୁଡାଖଣ୍ଡି ୧, ପାତ୍ରପୁର ୪, ଛତ୍ରପୁର ୪, ପୋଲସରା ୫, ପୁରୁଷୋତ୍ତମପୁର ୨ ଓ ସାନଖେମୁଣ୍ଡି ଅଞ୍ଚଳର ୨ଜଣ ରହିଛନ୍ତି । ସୂଚନାଯୋଗ୍ୟ ଯେ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୨୭୧କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୮୨୯ଜଣ ସୁସ୍ଥ ହୋଇଥିବା ବେଳେ ୪୩୩ଜଣ ଚିକିତ୍ସାଧିନ ଅଛନ୍ତି । ୧୦ଜଣଙ୍କ ମୃତ୍ୟୁ ଘଟିଛି ବୋଲି ଜଣାପଡିଛି । ଗତ ୧୦ଦିନ ଭିତରେ ତଥା ୧୭ରୁ ୨୭ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ୧୨୯ଜଣ କରୋନା ଯୋଦ୍ଧା କରୋନା ପଜିଟିଭ ହୋଇଥିବା ବେଳେ ପଜିଟିଭଙ୍କ ସଂସ୍ପର୍ଶରେ ଆସି ୩୭୨ଜଣ କରୋନା ପଜିଟିଭ ହୋଇଛନ୍ତି । ସେଥିମଧ୍ୟରୁ ପ୍ରବାସୀ ଓଡ଼ିଆ ୭୦ ରହିଛନ୍ତି । ଏଠି ଦେଖିବାକୁ ରହିଲା ପ୍ରବାସୀଙ୍କ ଆଗମନପରେ ସେମାନଙ୍କୁ ସହଯୋଗ ଓ ସଙ୍ଗରୋଧରେ ରହୁଥିବା ବେଳେ ସେବା ଯୋଗାଉଥିବା କରୋନା ଯୋଦ୍ଧାମାନେ ଆକ୍ରାନ୍ତ ହେଉଛନ୍ତି ।