-
ସାହି ସାହିରେ କରୋନା ରୋଗୀ
-
ସହରର ୬ ସାହିକୁ କେଣ୍ଟେନମେଣ୍ଟ ଘୋଷଣା କଲା ବିଏମ୍ସି
-
୨୯ ସାହିକୁ ବ୍ୟାପିଛି: କମିଶନର
-
ଗତ ୧୦ଦିନରେ ୪୫ କରୋନା ରୋଗୀ ଚିହ୍ନଟ
ବ୍ରହ୍ମପୁର: ବ୍ରହ୍ମପୁର ମହାନଗା ନିଗମ ଅଞ୍ଚଳରେ ଦିନକୁ ଦିନ ସାହିକୁ ସାହି ବ୍ୟାପୁଛି କରୋନା ସଂକ୍ରମଣଙ୍କ ସଂଖ୍ୟା । ବିଗତ ୧୦ଦିନ ମଧ୍ୟରେ ୩୩ କରୋନା ଯୋଦ୍ଧାଙ୍କ ସହ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୪୨ଜଣ ଏଭଳି ମୋଟ ୭୫ଜଣ କରୋନା ରୋଗୀ ଚିହ୍ନଟପରେ ବିଏମ୍ସି କର୍ତ୍ତୃପକ୍ଷ ରବିବାର ଏକ ବଡ ନିଷ୍ପତ୍ତି ନେଇଛି । ଗୋଷ୍ଠୀ ସଂକ୍ରମଣକୁ ରୋକ ଲଗାଇବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି । ବ୍ରହ୍ମପୁର ସହରର ୨୯ ସାହି କରୋନା କବଳରେ ରହିଛି । ଯାହାକୁ ନେଇ ସହରାବସୀ ଭୟଭୀତ ହୋଇପଡ଼ିଛନ୍ତି । ଏପଟେ ରବିବାର ୬ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରିଛି ବିଏମ୍ସି । କରୋନା ଚେନକୁ ଭାଙ୍ଗିବାକୁ ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ୪ ନଂ ୱାର୍ଡର ସାହୁ କଲୋନୀ, ଭାଭାନଗର ୪ର୍ଥ ଲାଇନ, ତୁଳସୀନଗର ୬ଷ୍ଠ ଲାଇନ, ବ୍ୟାଙ୍କକଲୋନୀ ୧ମ ଲାଇନ, ଗାନ୍ଧୀନଗର ୪ର୍ଥ ଲାଇନ ଓ ବର୍ମା କଲୋନୀକୁ ରବିବାର କଣ୍ଟେନମେଣ୍ଟ ଭାବେ ଘୋଷଣା କରିଛନ୍ତି ।
ବ୍ରହ୍ମପୁର ସହରରେ ଦିନକୁ ଦିନ କରୋନା ସ୍ଥିତି ଗମ୍ଭୀର ହେବା ସହ ସାହି ସାହିରେ କରୋନା ରୋଗୀ ଚିହ୍ନଟ ହେଉଛନ୍ତି । ଯାହକୁ ଦୃଷ୍ଟିରେ ରଖି ସହରକୁ ୪ ଦିନିଆ ସଟଡାଉନ ଘୋଷଣା ସହ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଯୋଜନା ହୋଇଛି । ଆଉ ୨ ଦିନ ହେବ ସ୍ୱାସ୍ଥ ଟିମ ଲୋକଙ୍କ ଘରକୁଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି । ଏହି ସ୍ୱତନ୍ତ୍ର ସ୍କ୍ରିନିଂ ତଥା ସ୍ୱାସ୍ଥ୍ୟ ଯାଞ୍ଚ ସମୟରେ ଉପରୋକ୍ତ ସାହିରେ ଏକାଧିକ କରୋନା ସନ୍ଦିଗ୍ଧ ବ୍ୟକ୍ତି ଠାବ ହୋଇଛନ୍ତି । ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ବଳବତର ରହିବାକୁ ଥିବା ବେଳେ ଏହି ସମୟ ମଧ୍ୟରେ ସାହି ଭିତରକୁ କାହାକୁ ପ୍ରବେଶ ଓ ପ୍ରସ୍ଥାନ ଅନୁମତି ଦିଆଯାଇନଥିବା ବେଳେ ସମସ୍ତଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି । ଏହି ୬ଟି ସାହିରେ ଥିବା ଦୋକାନବଜାର, ଶିକ୍ଷାନୁଷ୍ଠାନ ତୁରନ୍ତ ବନ୍ଦ କରାଯିବା ସହ ଲୋକଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବା ପାଇଁ ବିଏମସି ପଦକ୍ଷେପ ନେବ ବୋଲି ନିର୍ଦ୍ଦୋନାମାରେ ଦର୍ଶାଯାଇଛି । ଏହି ଅଞ୍ଚଳର ଦେଖାଶୁଣା ପାଇଁ ବିଲମସିର ୫ ଜଣ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତ କରାଯାଇଛି । ଡେପୁଟି କମିଶନର ଆଶୁତୋଷ ସାମଲ ଓ ରେମାଞ୍ଚଳ ଖମାରୀ, ଏନୟୁଏଚଏମର ସିପିଏମ ଲମ୍ବୋଦର ଦିଗାଲ, ପବ୍ଳିକ ହେଲଥ୍ ମ୍ୟାନେଜର ମଳୟ ବିଶ୍ୱାଳ ଓ ପ୍ରବୀଣ କୁମାର ଜେନାଙ୍କୁ ଦାୟୀତ୍ୱ ଦିଆଯାଇଛି । ଗତ ୧୧ ଦିନ ମଧ୍ୟରେ ସହରରୁ ୭୫ ଜଣ କରୋନା ରୋଗୀ ଚିହ୍ନଟ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରେ ୩୩ ଜଣ କରୋନା ଯୋଦ୍ଧା ରହିଥିବା ବେଳେ ୪୨ ଜଣ ସ୍ଥାନୀୟ ଲୋକ ରହିଛନ୍ତି । ଆଜି ବିଏମସି କର୍ତ୍ତୃପକ୍ଷ ଦେଇଥିବା ସୂଚନାପ୍ରକାରେ ସହରର ୨୯ଟି ସାହିରେ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି । ସେହି ସାହିଗୁଡ଼ିକ ହେଲା ଲକ୍ଷ୍ମୀନୃସିଂହ ସାହି, କାଶୀନଗର, ଗଜପତିନଗର, ବିଲସାହି ଛକ, ଶ୍ରୀରାମନଗର ସାହୁ କଲୋନୀ, ତୁଳସୀନଗର, ଭାବାନଗର, ରେଡିଓଷ୍ଟସନ ବ୍ୟାଙ୍କକଲୋନୀ, ବଡ଼ବଜାର ଗୌଡସାହି, ପ୍ରେମନଗର ପ୍ରଥମଲାଇନ, ପଞ୍ଚାନନ ନଗର, ହାଉସିଂବୋର୍ଡ ୩ୟ ଲାଇନ ସ୍ଥିତ ବିମଳା ନଗର, ବୃନ୍ଦାବତୀନଗର ବର୍ମାକଲୋନୀ, ବାବାଜୀତୋଟା ସାହି, ବୈକୁଣ୍ଠନଗର୨ୟ ଲାଇନ, ଗାନ୍ଧୀନଗର ୪ର୍ଥ ଲାଇନ, କୌତୁକୀନଗର ୨ୟ ଲାଇନ, ରାମାଜାରାଣୀ ଆପାର୍ଟମେଣ୍ଟ, ଗୋଦାବରୀଶ ନଗର, ସ୍ୱର୍ଣ୍ଣମୟୀନଗର, ରାମକୃଷ୍ଣନଗର, ହିଲପାଟଣା ସ୍ପେକ୍ଟର୍ମ ଆପାର୍ଟମେଣ୍ଟ, ଅଶୋକନଗର, କୃଷ୍ଣନଗର, ସିଦ୍ଧାର୍ଥନଗର, ବାପୁଜୀନଗର, ଅଯୋଧ୍ୟାନଗର, ଉମାନଗର ଏବଂ ବାଞ୍ଛାନିଧୀନଗର ତୃତୀୟ ଲାଇନରେ ଥିବା ଜ୍ୟୋତିକ୍ଳାସିକ ଆପାର୍ଟମେଣ୍ଟ । ଏହାପୂର୍ବରୁ ସହରର ବଡ଼ବଜାର ଅଞ୍ଚଳର ଏକାଧିକ ସାହିରେ କେରାନା ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ୨୯ଟି ସାହିରେ କରୋନା ବ୍ୟାପିଥିବା ବେଳେ କଣ୍ଟାକ୍ଟ ଟ୍ରେସିଂ ଚାଲୁରହିଛି ବୋଲି ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି ।