ବେଙ୍ଗାଲୁରୁ– କର୍ଣ୍ଣାଟକରେ କରୋନା ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଆସନ୍ତା ଜୁଲାଇ ୫ ତାରିଖ ଠାରୁ ପ୍ରତି ରବିବାର ଲକ୍ଡାଉନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦିୟୁରପ୍ପାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା କୁହାଯାଇଛି। ଏହି ଲକ୍ଡାଉନ ଆଗାମୀ ଆଦେଶ ଯାଏଁ ପ୍ରତି ରବିବାର ଲାଗୁ ହେବ।
ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ରବିବାର ହେବାକୁ ଥିବା ଲକଡାଉନରେ ଦୋକାନ ଓ ସମସ୍ତ ପ୍ରତିଷ୍ଠାନ ବନ୍ଦ ରହିବ। ମାତ୍ର ଜରୁରୀ ସେବା ଏବଂ ଯୋଗାଣ ସଂପର୍କିତ ଦୋକାନ, ଷ୍ଟୋର ଏବଂ କାର୍ଯ୍ୟାଳୟ ଖୋଲାଯାଇପାରିବ। ଅନ୍ୟପକ୍ଷରେ କୋଭିଡ-୧୯ ସଂଖ୍ୟା ବଢ଼ିଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଏସ୍ ସୁଧାକର କହିଛନ୍ତି, ସୋମବାର ସନ୍ଧ୍ୟାଠାରୁ ସରକାରୀ ଓ ଘରୋଇ ହସ୍ପିଟାଲରେ କରୋନା ଭାଇରସରେ ସଂକ୍ରମିତଙ୍କ ଚିକିତ୍ସା ଲାଗି ୧୦ ହଜାର ଶଯ୍ୟା ବ୍ୟବସ୍ଥା ହେବ। ବହୁତଳ ବିଶିଷ୍ଟ ଆବାସିକ କୋଠାକୁ ଚିକିତ୍ସା ପାଇଁ ବ୍ୟବହାର କରାଯିବ।
କର୍ଣ୍ଣାଟକରେ ଶୁକ୍ରବାର ଠାରୁ ଶନିବାର (୨୪ ଘଣ୍ଟା) ମଧ୍ୟରେ ୯୧୮ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କରୋନା ସଂକ୍ରମିତଙ୍କ ମୋଟ ସଂଖ୍ୟା ୧୧ ହଜାର ୯୨୩ରେ ପହଞ୍ଚିଛି। ଏଥିରୁ ୭ ହଜାର ୨୮୭ ଜଣ ସୁସ୍ଥ ହୋଇଛନ୍ତି। କେବଳ ଶନିବାର ୩୭୧ ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଏବେ ଆହୁରି ୪ ହଜାର ୪୪୧ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୧୯୧ ଜଣଙ୍କର ମୃତ୍ୟୁ ହୋଇଛି।