ନୂଆଦିଲ୍ଲୀ– ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ ସଂକ୍ରମଣ ସଂଖ୍ୟା ୮୦ ହଜାର ଅତିକ୍ରମ କରିସାରିଛି । ଦିଲ୍ଲୀରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଶ୍ୱର ସର୍ବବୃହତ୍ତ କୋଭିଡ କେୟାର ସେଣ୍ଟର ନିର୍ମାଣ ହୋଇଛି । ଏହାର ନାମ ରଖାଯାଇଛି ସର୍ଦ୍ଦାର ପଟେଲ କୋଭିଡ କେୟାର ସେଣ୍ଟର । ପାଖାପାଖି ୧୦ ହଜାର ଶଯ୍ୟା ବିଶିଷ୍ଟ ଏହି ସେଣ୍ଟରକୁ ଗୃହମନ୍ତ୍ରୀ ଅମିତ ଶାହା ଓ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ପରିଦର୍ଶନ କରିଛନ୍ତି । ଏବେ ସୁଦ୍ଧା ୨ ହଜାର ଶଯ୍ୟା ପସ୍ତୁତ ହୋଇଥିବା ବେଳେ ଖୁବ ଶୀଘ୍ର ବାକି ୮ ହଜାର ଶଯ୍ୟା ପ୍ରସ୍ତୁତ ହେବ ଏବଂ ଆଗାମୀ ୨ ରୁ ୩ ଦିନ ମଧ୍ୟରେ ଏହା କାମ କରିବ ।
ଦିଲ୍ଲୀର ଛତରପୁର ଅଂଚଳରେ ରାଧା ସ୍ୱାମୀ ସତସଂଗ ବ୍ୟାସରେ ନିର୍ମିତ କୋଭିଡ କେୟାର ସେଣ୍ଟର ୨୫ ଏକର ଜମିରେ ବିସ୍ତୃତ । କୁହାଯାଉଛି ଯେ, ବିଶ୍ୱର ଏହି ସର୍ବବୃହତ୍ତ କୋଭିଡ କେୟାର ସେଣ୍ଟର ଦାୟିତ୍ୱ ନେଇଛି ଆଇଟିବିପି । ଏଠାରେ ମୋଟ ୮୭୫ ଜଣ ଡାକ୍ତର ଓ ସମାନ ପରିମାଣରେ ମେଡିକାଲ କର୍ମଚାରୀ ରହିବେ । ପାଖାପାଖି ୧୦ ପ୍ରତିଶତ ରୋଗୀଙ୍କ ପାଇଁ ଅକ୍ସିଜେନ ବ୍ୟବସ୍ଥା କରାଯିବ ।