ନୂଆଦିଲ୍ଲୀ– ଦେଶରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ଆହୁରି ବଢ଼ିବାରେ ଲାଗିଛି । ଶନିବାର ଗୋଟିଏ ଦିନରେ ସର୍ବାଧିକ ୧୮ ହଜାର ୫୫୨ ଜଣ କରୋନା ଭାଇରସରେ ପୀଡ଼ିତ ରୋଗୀ ଚିହ୍ନଟ ହୋଇଛନ୍ତି । ଦେଶରେ ମହାମାରୀ ଯୋଗୁଁ ୧୫ ହଜାର ୬୮୫ ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅନୁସାରେ ଦେଶବ୍ୟାପୀ କୋଭିଡ-୧୯ରେ ୮୫.୫ ପ୍ରତିଶତ ରୋଗୀ ଚିକିତ୍ସାଧୀନ ଥିବା ବେଳେ ୮୭ ପ୍ରତିଶତ ରୋଗୀଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ର, ଦିଲ୍ଲୀ ଓ ତାମିଲନାଡୁ ସମେତ ୮ଟି ରାଜ୍ୟରେ କରୋନା ଭାଇରସର ସ୍ଥିତି ଉଦବେଗଜନକ ରହିଛି ।
ମନ୍ତ୍ରାଳୟ ଏକ ବୟାନରେ କହିଛି, ଦେଶର ମୋଟ କରୋନା ରୋଗୀଙ୍କ ମଧ୍ୟରୁ ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, ତେଲେଙ୍ଗାନା, ଗୁଜୁରାଟ, ଉତ୍ତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗରେ ମୋଟ ଚିକିତ୍ସାଧୀନ ରୋଗୀ ୮୫.୫ ପ୍ରତିଶତ । ଏହି ରାଜ୍ୟଗୁଡ଼ିକରେ ଦେଶର ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟାର ୮୭ ପ୍ରତିଶତ ହୋଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି, ଦେଶରେ କୋଭିଡ-୧୯ ରୋଗୀ ସୁସ୍ଥ ହେବାରେ ହାର ବଢ଼ିବାରେ ଲାଗିଛି । ଏବେ ଏହା ୫୮ ପ୍ରତିଶତରେ ପହଞ୍ଚିଛି । ସଂକ୍ରମଣ ଜନିତ ମୃତ୍ୟୁ ଦର ପାଖାପାଖି ୩ ପ୍ରତିଶତ । ସେ କହିଛନ୍ତି, କୋଭିଡ-୧୯ରୁ ପାଖାପାଖି ୩ ଲକ୍ଷ ଲୋକ ସୁସ୍ଥ ହୋଇସାରିଛନ୍ତି । ଅନ୍ୟ ରୋଗୀମାନେ ମଧ୍ୟ ସଂକ୍ରମଣ ମୁକ୍ତ ହେଉଛନ୍ତି । ବିଶ୍ୱ ତୁଳନାରେ ଏଠାରେ ମୃତ୍ୟୁ ହାର କମ ।