ଶ୍ରୀନଗର– ଭାରତୀୟ ସୁରକ୍ଷା ବାହିନୀର ଫଳରେ ଆତଙ୍କବାଦୀଙ୍କ ଗଡ଼ କୁହାଯାଉଥିବା ଦକ୍ଷିଣ କାଶ୍ମୀରର ପୁଲୱାମା କ୍ଷେତ୍ର (ଦକ୍ଷିଣ କାଶ୍ମୀର) ବର୍ତ୍ତମାନ ଆତଙ୍କବାଦୀଙ୍କଠାରୁ ମୁକ୍ତ ହୋଇଛି ।
ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ମଧ୍ୟରେ ଭାରତୀୟ ସୁରକ୍ଷା ବାହିନୀ ଯେପରି ଘନ ଘନ ଏନକାଉଣ୍ଟର କରି ଆତଙ୍କବାଦୀଙ୍କୁ ହତ୍ୟା କରିଛି, ଏହା ପରେ ବର୍ତ୍ତମାନ କାଶ୍ମୀରର ଟ୍ରାଲ ଅଞ୍ଚଳରେ ହିଜବୁଲ ମୁଜାହିଦ୍ଦିନର ଆଉ କୌଣସି ସକ୍ରିୟ ଆତଙ୍କବାଦୀ ନଥିବା ଜଣାପଡିଛି ।
ଗୁରୁବାର ଦିନ ଜାମ୍ମୁ କାଶ୍ମୀର ପୋଲିସ ଦ୍ୱାରା ଟ୍ରାଲ ସେକ୍ଟରରେ ତିନି ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯିବା ପରେ ଦୀର୍ଘ ଦଶନ୍ଧି ଧରି ହିଜବୁଲ ମୁଜାହିଦ୍ଦିନର ଏହି ଅଞ୍ଚଳରେ ଆଉ କୌଣସି ଆତଙ୍କବାଦୀଙ୍କ ଉପସ୍ଥିତି ନଥିବା ନେଇ ଭାରତୀୟ ସୁରକ୍ଷାବାହିନୀ ପକ୍ଷରୁ ଦାବି କରାଯାଇଛି । ଦକ୍ଷିଣ କାଶ୍ମୀରର ପୁଲୱାମା ସେକ୍ଟର ଏକଦା ଆତଙ୍କବାଦୀଙ୍କ ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ ଥିଲା । ଏଠାରୁ ଟେରର କମାଣ୍ଡର ବୁରହାନ ୱାନି ଏବଂ ଜାକିର ମୁସାଙ୍କ ପରି ଆତଙ୍କବାଦୀମାନେ ସେମାନଙ୍କ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଥିଲେ । ତେବେ ଭାରତୀୟ ସୁରକ୍ଷା ବାହିନୀ ପୂର୍ବରୁ ଉଭୟଙ୍କୁ ହତ୍ୟା କରିସାରିଛନ୍ତି ।
ଶୁକ୍ରବାର ଦିନ, ଟ୍ରାଲର ଚେୱା ଉଲାର ଅଞ୍ଚଳରେ 3 ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିବା ପରେ କାଶ୍ମୀର ଜୋନ୍ ଆଇଜି ବିଜୟ କୁମାର କହିଛନ୍ତି ଯେ ଏହି ଅଞ୍ଚଳରେ ହିଜବୁଲ ମୁଜାହିଦ୍ଦିନର କୌଣସି ସକ୍ରିୟ ଆତଙ୍କବାଦୀ ନାହାଁନ୍ତି । ସେ କହିଥିଲେ ଯେ 1989 ମସିହାରୁ ଟ୍ରାଲରେ ଆତଙ୍କବାଦୀମାନେ ସକ୍ରିୟ ଥିଲେ, କିନ୍ତୁ ବର୍ତ୍ତମାନ ଏଠାରେ ଥିବା ସମସ୍ତ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି ।
ଉଲ୍ଲେଖନୀୟ କଥା ହେଉଛି, ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା ଯେ କିଛି ଆତଙ୍କବାଦୀ ଅବନ୍ତିପୋରା ଅଞ୍ଚଳର ଟ୍ରାଲରେ ଲୁଚି ରହିଛନ୍ତି ଏବଂ ଏକ ବଡ଼ ଷଡ଼ଯନ୍ତ୍ର କରିବାକୁ ଯୋଜନା କରୁଛନ୍ତି । ଗୁରୁବାର ସନ୍ଧ୍ୟାରେ ସେନା, CRPF ଏବଂ ପୋଲିସର ଏକ ଟିମ୍ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲେ । ସେନା ବ୍ରିଗେଡିୟର୍ ଭି ମହାଦେବନ କହିଛନ୍ତି ଯେ ଆମେ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲୁ କିନ୍ତୁ ସେମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଆମର ପ୍ରତିଆକ୍ରମଣରେ 3 ଆତଙ୍କବାଦୀ ନିହତ ହୋଇଥିଲେ।