-
ଆଗୁଆ ପ୍ରସ୍ତୁତି, ତ୍ୱରିତ ଉଦ୍ଧାର ଓ ପୁନର୍ଗଠନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ
-
ଗୋଷ୍ଠୀଭିତିକ ପରିଚାଳନାରେ ଦକ୍ଷତା, ଅଭିଜ୍ଞତା କୋଭିଡ ପରିଚାଳନାରେ ମଧ୍ୟ ଉପାଦେୟ ହୋଇଛି- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିରେ ଅଧ୍ୟକ୍ଷତା କରି ଆଗୁଆ ପ୍ରସ୍ତୁତି, ତ୍ୱରିତ ଉଦ୍ଧାର ଓ ପୁନର୍ଗଠନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଭିନ୍ନ ବିପର୍ଯ୍ୟୟରେ ଯୋଗୁ ଜନସାଧାରଣଙ୍କ ଉପରକୁ ଆସୁଥିବା ବିପଦକୁ କମ୍ କରିବା ପାଇଁ ରାଜ୍ୟ ସରକାର ଅନେକ ଫଳପ୍ରଦ ପଦକ୍ଷେପ ଗ୍ରହଣ କରିଆସିଛନ୍ତି । ଆମର ପ୍ରସ୍ତୁତି ଗତିଶୀଳ, ସାମଗ୍ରିକ ଏବଂ ଭାଗିଦାରୀ ମୂଳକ ହେବା ଉଚିତ । ସେ କହିଥିଲେ ଯେ ଆଗୁଆ ପ୍ରସ୍ତୁତି, ତ୍ୱରିତ ଉଦ୍ଧାର ଏବଂ ପୁନର୍ଗଠନ ପାଇଁ ବିଭିନ୍ନ ପଦକ୍ଷେପ ସହିତ ଦୀର୍ଘକାଳୀନ ମୁକାବିଲା କାର୍ଯ୍ୟକ୍ରମ ହେଉଛି ଆମର ବିପର୍ଯ୍ୟୟ ପରିଚାଳନା ଦୃଷ୍ଟିଭଙ୍ଗୀର ମୂଳନୀତି ।
ରାଜ୍ୟ ପ୍ରଶାସନକୁ ଅଭିଜ୍ଞତା ପ୍ରସ୍ତୁତ ଏସଓପି ପାଳନ ସହ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଗୋଷ୍ଠୀଭିତିକ ପ୍ରସ୍ତୁତି କାର୍ଯ୍ୟକ୍ରମକୁ ସଂସ୍ଥାଗତ ଢାଂଚା ପ୍ରଦାନ କରିବାରେ ଓଡିଶା ସର୍ବାଗ୍ରେ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଗୋଷ୍ଠୀଭିତିକ ପରିଚାଳନାରେ ଆମର ଅଭିଜ୍ଞତା କୋଭିଡ ପରିଚାଳନାରେ ମଧ୍ୟ ବହୁ ପରିମାଣରେ ଉପାଦେୟ ହୋଇପାରିଛି ବୋଲି ସେ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ ୩ ମାସ ଧରି କୋଭିଡ ୧୯ ମହାମାରୀ ରାଜ୍ୟର ଜନସାଧାରଣଙ୍କ ଦୈନନ୍ଦିନ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି । ରାଜ୍ୟରେ ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଯୋଗୁ ଓଡିଶା ଆଜି ଏ କ୍ଷେତ୍ରରେ ଭଲ ସ୍ଥିତିରେ ରହିଛି । ଏହି ଅବସରରେ କୋଭିଡ ମୁକାବିଲାରେ ଜନସାଧାରଣଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ରାଜ୍ୟ ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ । ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଆମେ ଅନେକ ବିପଦର ସମ୍ମୁଖୀନ ହେଉଥିଲେ ମଧ୍ୟ ଆମେ ଯେ କୌଣସି ପରିସ୍ଥିତିର ମୁକାବିଲା କରିବାପାଇଁ ପ୍ରସ୍ତୁତ । ଗତ ବର୍ଷ ଫନି ଓ ବୁଲବୁଲ ଭଳି ବାତ୍ୟା ସହିତ ବନ୍ୟା, ବର୍ଷା ଏବଂ ଅନେକ ସ୍ଥାନୀୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଚଳିତ ବର୍ଷ ମଧ୍ୟ ଉତର ଉପକୂଳ ଜିଲ୍ଲା ଗୁଡିକ ମଇ ମାସର ତୃତୀୟ ସପ୍ତାହରେ ମହାବାତ୍ୟା ଅମ୍ଫନ ଦ୍ୱାରା ପ୍ରଭାବିତ ହୋଇଥିଲେ । ଓଡିଶାର ଜନସାଧାରଣଙ୍କ ସହଯୋଗରେ ଆମେ କେବଳ ଏହିସବୁ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ସଫଳ ହୋଇନାହୁଁ, ତା ସହିତ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗକୁ ମଧ୍ୟ ତାର ବିପଦ ସମୟରେ ସହାୟତା ଯୋଗାଇ ଦେଇପାରିଛୁ ବୋଲି ସେ କହିଥିଲେ ।
ସବୁବେଳେ ଅତୀତର ବିପର୍ଯ୍ୟୟ ଗୁଡିକରୁ ଆମେ ଶିକ୍ଷା ଗ୍ରହଣ କରିଆସିଛୁ ଏବଂ ସମ୍ଭାବ୍ୟ ଦୁର୍ବିପାକ ପାଇଁ ପ୍ରସ୍ତୁତିରେ ଉନ୍ନତି ଆଣିବା ପାଇଁ ନିରନ୍ତର ପ୍ରଚେଷ୍ଟା ଜାରି ରହିଛି । ‘ଅଭିଜ୍ଞତାରୁ ଶିକ୍ଷା’ ଏବଂ ‘ପରବର୍ତୀ ପ୍ରସ୍ତୁତି’ରେ ଉନ୍ନତିର ଏହି ନିରନ୍ତର ପ୍ରକ୍ରିୟା ପାଇଁ ଆମକୁ ସବୁ କ୍ଷେତ୍ରରୁ ପ୍ରଶଂସା ମିଳିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଠିକ୍ ସମୟରେ ଆସିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଚଳିତ ବର୍ଷ ଭଲ ବର୍ଷା ହେବାର ଆଶା ରହିଛି । ଜୁନ୍ ଠାରୁ ଅକ୍ଟୋବର ପର୍ଯ୍ୟନ୍ତ ସମୟ ହେଉଛି ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଏହି ସମୟରେ ବନ୍ୟା, ବାତ୍ୟା, ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ଆସିପାରେ । ଏହିସବୁ ବିପର୍ଯ୍ୟୟ ପାଇଁ ଆମର ପ୍ରସ୍ତୁତିକୁ ନିରନ୍ତର ସମୀକ୍ଷା କରିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି କୋଭିଡ ଠାରୁ ଆରମ୍ଭ କରି ଅମ୍ଫନ, ବୁଲବୁଲ, ପଙ୍ଗପାଳ ପର୍ଯ୍ୟନ୍ତ ବିଭିନ୍ନ ଦୁର୍ବିପାକ ନିରାକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ ।
ସମ୍ଭାବ୍ୟ ବାତ୍ୟା ଓ ବନ୍ୟାର ମୁକାବିଲା ନିମନ୍ତେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ସଂପର୍କରେ ବୈଠକରେ ସୂଚନା ଦିଆଯାଇଥିଲା । ଜୁନ ୧ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ପ୍ରତି ଜିଲ୍ଲା ସଦର ମହକୁମାରେ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଥିବା ବେଳେ ଟେଲି ଯୋଗାଯୋଗ ସୁବିଧା ନ ଥିବା ବନ୍ୟାପ୍ରବଣ ଅଂଚଳରେ ୧୫ଟି ଅସ୍ଥାୟୀ ଭି.ଏଚ୍.ଏଫ କେନ୍ଦ୍ର ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇଛି । ୨୦ଟି ଓଡ୍ରାଫ ଟିମ୍କୁ ଆବଶ୍ୟକୀୟ ଜରୁରୀକାଳୀନ ସହାୟତା ସହିତ ଜାଗତିଆର ରଖାଯାଇଛି । ବିଭିନ୍ନ ନଦୀବନ୍ଧ ମାନଙ୍କରେ ୪୯ଟି ଦୁର୍ବଳ ସ୍ଥାନ ଚିହ୍ନଟ କରାଯାଇଛି ଏବଂ ସେଗୁଡିକର ଜଗାରଖା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ସହରାଂଚଳରେ ବର୍ଷା ଓ ବନ୍ୟାଜଳ ନିଷ୍ଟାସନ ପାଇଁ ପଦକ୍ଷେପ ନିଆଯାଇଛି । ବନ୍ୟାପ୍ରବଣ ଅଂଚଳରେ ଆଗମୀ ଦୁଇ ତିନି ମାସର ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା, ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ଅତ୍ୟାବଶ୍ୟକ ଔଷଧ ଓ ବିଶେଧନ ସାମଗ୍ରୀ ମହଜୁଦ ରଖିବା ପାଇଁ ପଦକ୍ଷେପ ନିଆଯାଇଛି ।
ରାଜ୍ୟରେ ଥିବା ୮୭୯ଟି ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ଯାଂଚ କରାଯାଇ ୭୯୬ଟିର ମରାମତି କରାଯାଇଛି ।
ଭିଡିଓ କନ୍ଫରେନ୍ସିଂ ଦ୍ୱାରା ଆୟୋଜିତ ଏହି ବୈଠକରେ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ, ବିରୋଧୀଦଳ ନେତା, ସାଂସଦ, ବିଧାୟକଗଣ ଉପସ୍ଥିତ ରହି ପ୍ରାକୃତିକ ବିପର୍ଯ୍ୟୟ ମୁକିବାଲା ନିମନ୍ତେ ସୁଚିନ୍ତିତ ପରାମର୍ଶ ଦେଇଥିଲେ ।