-
କନିଷି ତହସିଲ ଅଞ୍ଚଳରେ ସ୍ଥିତି ଗମ୍ଭୀର
-
ସବୁ ସରକାରୀ କାର୍ଯ୍ୟାଳୟ କଣ୍ଟେନ୍ମେଣ୍ଟ ଜୋନ୍
ବ୍ରହ୍ମପୁର:ଗୋପାଳପୁର ନିର୍ବାଚନ ମଣ୍ଡଳୀର ରଙ୍ଗେଇଲୁଣ୍ଡା ବ୍ଳକ ଓ କନିଷି ତହସିଲର ୧୦ରୁ କରୋନା ଯୋଦ୍ଧାଙ୍କ କରୋନା ପଜିଟିଭ ବାହାରିବା ପରେ ସମସ୍ତ ସରକାରୀ କାର୍ଯ୍ୟାଳୟକୁ କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ପ୍ରଥମେ କନିଷି ତହସିଲଦାର ପରେ ରଙ୍ଗେଇଲୁଣ୍ଡା ବିଡ଼ିଓ, ଅତିରିକ୍ତ ତହସିଲଦାର ଆଉ ଏବେ ୬ ରାଜସ୍ୱ ନିରୀକ୍ଷକ(ଆରଆଇ)ଙ୍କ ଦେହରେ କରୋନା ପଜିଟିଭ ବାହାରିବା ପରେ ଉକ୍ତ ଦୁଇ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଛି । ସମସ୍ତଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ଆରମ୍ଭ ହେବା ସହ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଛି । ତହସିଲ ପକ୍ଷରୁ ଅତିରିକ୍ତ ତହସିଲଦାର ଓ ବ୍ଳକ ପକ୍ଷରୁ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପତ୍ର ମାଧ୍ୟମରେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ଯେ କନିଷି ତହସିଲ ଅଫିସ, ସବ୍ରେଜିଷ୍ଟ୍ରାର ଅଫିସ, ରଙ୍ଗେଇଲୁଣ୍ଡା ବ୍ଳକ ଅଫିସ, ଗଣେଶ ନଗର,ସାଇରାମନଗର ଯାହା କି ତହସିଲ ଅଫିସ ନିକଟରେ ରହିଛି ଉକ୍ତ ଅଞ୍ଚଳକୁ କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ଘୋଷଣା କରନ୍ତୁ । ଏହିଭଳି କନିଷି ପଞ୍ଚାୟତର କନିଷି, କନିଷି ହାଟ, ଓ ତୁଳୁ ରୋନ, ଚାନ୍ଦପୁର ପଞ୍ଚାୟତର ଚାନ୍ଦପୁର, ହଳଦିଆପଦର ପଞ୍ଚାୟତର ଗୋବିନ୍ଦପୁର ଓ ହଳଦିଆପଦର, ରଙ୍ଗିପୁର ପଞ୍ଚାୟତର ରଙ୍ଗିପୁର ଓ ରାଳବ ଓ ଦୁବପଲ୍ଲୀ ଗ୍ରାମକୁ ବୋଫର ଜୋନ୍ ଭାବେ ଘୋଷଣା କରନ୍ତୁ । ଚିହ୍ନଟ ହୋଇଥିବା କରୋନା ପଜିଟିଭ ମାନେ ଉକ୍ତ ଅଞ୍ଚଳକୁ ଯାଆଆସ କରିଥିବା ଓ ରହୁଥିବା କାରଣରୁ ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଅନ୍ତୁ ବୋଲି ଦୁଇ ଅଧିକାରୀ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କରିଥିଲେ । ଯାହାକି ଗୁରୁବାର ଦିନ କାର୍ଯ୍ୟକାରୀ ହୋଇଥିବା ଜଣାପଡ଼ିଛି ।