ଗଞ୍ଜାମ– ଗଞ୍ଜାମ ଜିଲ୍ଲାରେ ୫୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮୯କୁ ବୃଦ୍ଧି ପାଇଛି । ସପ୍ତାହକ ମଧ୍ୟରେ ଜିଲ୍ଲାରେ ୬୩ ଜଣ କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ କ୍ୱାରେଂଟାଇନ ସେଂଟରର ଓ ବାହାର ରାଜ୍ୟ ଫେରନ୍ତା ରହିଥିବା ସୂଚନା ମିଳିଛି । ରିପୋର୍ଟ ପଜିଟିଭ୍ ଆସିବା ପରେ ସେମାନଙ୍କୁ କୋଭିଡ଼୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।
ସେହିପରି ଗତକାଲି ୪୯ ଜଣ ସୁସ୍ଥ ହୋଇ କୋଭିଡ଼୍ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ସୁସ୍ଥ ସଂଖ୍ୟା ୬୮୦ ରେ ପହଂଚିଛି । ବର୍ତମାନ ଜିଲ୍ଲାରେ କରୋନାଜନିତ ସକ୍ରିୟ ମାମଲା ସଂଖ୍ୟା ୪୦୧ ରହିଛି । ଇତିମଧ୍ୟରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।
ପ୍ରକାଶ ଥାଉ କି, ଜିଲ୍ଲାର କେତେକ ବରିଷ୍ଠ ପ୍ରଶାସନିକ ଅଧିକାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ କୌଣସି ସାଧାରଣ ବ୍ୟକ୍ତି ଆସନ୍ତା ୧୦ ଦିନ ପାଇଁ ଯାଇପାରିବେ ନାହିଁ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗତକାଲି ନିର୍ଦ୍ଦେଶ ଜାରୀ କରିଛନ୍ତି ।