ବ୍ରହ୍ମପୁର : ବୁଧବାରଠାରୁ ଆସନ୍ତା ୧୦ଦିନ ପର୍ଯର୍୍ୟନ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ ଅଫିସ ସାଧାରଣ ଲୋକଙ୍କ ପାଇଁ ଆଗମନ ଉପରେ ଜିଲ୍ଲା ପ୍ରଶାସନ ରୋକ୍ ଲଗାଇଛି । ଏନେଇ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟ୍ୱିଇଟ କରି ଜଣାଇଛନ୍ତି ଯେ ବୁଧବାରଠାରୁ ଆସନ୍ତା ୧୦ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ ଅଫିସ ସାଧାରଣ ଲୋକଙ୍କ ପାଇଁ ବନ୍ଦ କରାଯାଇଛି । ଯିଏ ଯେଉଁ ଅଭିଯୋଗ ନେଇ ଆସିବ ଲିଖିତ ଆକାରରେ ଆଣି ସରକାରୀ କାର୍ଯ୍ୟାଳୟ ଗେଟ୍ ସମ୍ମୁଖରେ ଥିବା ବକ୍ସରେ ପକାଇ ଚାଲିଯିବେ । ଏହାର ସମାଧାନ ପାଇଁ ପ୍ରଶାସନ କାର୍ଯ୍ୟ କରିବ । ସରକାରୀ ଅଫିସର ତଥା ବରିଷ୍ଠ ଅଧିକାରୀମାନେ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବାରୁ ଜିଲ୍ଲାପ୍ରଶାସନ ଏଭଳି ନିଷ୍ପତ୍ତି ଗ୍ରହଣ କରିଥିବା କୁହାଯାଉଛି ।
ସେମାନଙ୍କ ଆଶୁ ଆରୋଗ୍ୟ ନିମନ୍ତେ ଜିଲ୍ଲାପାଳ ପ୍ରାର୍ଥନା କରିଛନ୍ତି ।ସୂଚନା ଥାଉ କି କରୋନା ଭାଇରସ ସଂକ୍ରମଣ ସଂଖ୍ୟାରେ ଏବେ ରାଜ୍ୟରେ ଗଞ୍ଜାମ ଜିଲ୍ଲା ଶୀର୍ଷରେ ରହିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାରେ ଏବେ ୧୦୩୦ଜଣ କରୋନା ପଜିଟିଭ ବାହାରି ଥିବା ବେଳେ ସେଥି ମଧ୍ୟରୁ ୬୮୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେବି ୩୪୨ଜଣ କରୋନା ରୋଗୀ କୋଭିଡ଼ ହସ୍ପିଟାଲ ଓ କୋଭିଡ଼ କେୟାର ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୮ଜଣ ମୃତ୍ୟୁ ବରଣ କରିଛନ୍ତି । ଏବେ ଜିଲ୍ଲାରେ ବହୁ ସଂଖ୍ୟାକ ସ୍ୱାସ୍ଥ୍ୟ କର୍ମୀ, ଡ଼ାକ୍ତର, ଶିକ୍ଷକ, ସରକାରୀ କାର୍ଯ୍ୟାଳୟର କର୍ମଚାରୀ କରୋନା ଭାଇରସ ଦ୍ୱାରା ସଂକ୍ରମଣ ହୋଇଥିବାରୁ ଜିଲ୍ଲା ପ୍ରଶାସନ ସରକାରୀ ଅଫିସ ଗୁଡ଼ିକୁ ଜନସାଧାରଣଙ୍କ ନିମନ୍ତେ ବନ୍ଦ କରିଛି ।