ଭୁବନେଶ୍ୱର– ଜଗତର ନାଥ ଶ୍ରୀଜଗନ୍ନାଥ ଗତକାଲି ୯ ଦିବସୀୟ ଯାତ୍ରାରେ ନିଜର ମାଉସୀ ଘର (ଶ୍ରୀଗୁଣ୍ଡିଚା ରାଣୀ)କୁ ବାହାରିଛନ୍ତି । ଗତକାଲି ଶ୍ରୀଜିଉମାନେ ଶ୍ରୀକ୍ଷେତ୍ରର ଶରଧାବାଲିରେ ସନ୍ଧ୍ୟା ପୂର୍ବରୁ ପହଞ୍ଚିଯାଇଥିଲେ । ଶରଧାବାଲିରେ ପହଞ୍ଚିବା ପରେ ଶ୍ରୀଜିଉମାନେ ରଥରେ ରାତି କଟାଇଥିବା ବେଳେ ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ । ସନ୍ଧ୍ୟାରେ ଗୋଟି ପହଣ୍ଡିରେ ତିନି ଠାକୁରଙ୍କୁ ଆଡ଼ପ ମଣ୍ଡପକୁ ବିଜେ କରାଯିବ । ଏଥି ପାଇଁ କମ ସଂଖ୍ୟକ ସେବାୟତରେ ନୀତି ଶେଷ କରାଯିବ । କୋଭିଡ-୧୯ ଗାଇଡଲାଇନ ଅନୁସାରେ ସାମାଜିକ ଦୂରତ୍ୱ ରକ୍ଷା କରି ପହଣ୍ଡି ଓ ଅନ୍ୟ କାର୍ଯ୍ୟକ୍ରମ କରାଯିବ ।
ସୂଚନାଯୋଗ୍ୟ, ଚଳିତ ବର୍ଷ କରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ୱରେ ହାହାକାର ଦେଖାଯାଇଥିବା ବେଳେ ସଂକ୍ରମଣକୁ ଦୃଷ୍ଟିରେ ରଖି ରଥଯାତ୍ରା ପାଳନ କରିବାକୁ ସୁପ୍ରିମକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଥିଲେ । ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକୁ ରକ୍ଷା କରି ଗତକାଲି ପବିତ୍ର ଶ୍ରୀକ୍ଷେତ୍ରରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ରଥଯାତ୍ରା ସୁରୁଖୁରୁରେ ସଂପନ୍ନ ହୋଇଥିବାରୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ ।