ପୁରୀ– ପୁରୀ ସର୍କିଟ୍ ହାଉସ୍ରେ ରଥଯାତ୍ରା ସଂକ୍ରାନ୍ତୀୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ରାଜ୍ୟ ଉନ୍ନୟନ କମିଶନର ସୁରେଶ କୁମାର ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଶନ କୁମାର ଓ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ପ୍ରମୁଖ ବୈଠକରେ ଉପସ୍ଥିତ ରହିଥିଲେ । ବିଶେଷ କରି ଅଧିକ ସେବାୟତଙ୍କର କିପରି କରୋନା ଟେଷ୍ଟ କରାଯିବ । ସେନେଇ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା ।
ବୈଠକ ଶେଷ ପରେ ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ମହାପାତ୍ର ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରଥଯାତ୍ରାରେ ସାମିଲ୍ ୫ ହଜାର ବ୍ୟକ୍ତିବିଶେଷଙ୍କର କୋଭିଡ଼୍ ଟେଷ୍ଟ କରାଯିବ । ସେବାୟତଙ୍କ ବ୍ୟତୀତ ପୋଲିସ, ସଫେଇ କର୍ମଚାରୀଙ୍କ ମଧ୍ୟ କୋଭିଡ଼୍ ଟେଷ୍ଟ କରାଯିବ । ଅଢ଼େଇ ହଜାର ସେବାୟତଙ୍କର ଦୁଇ ଥର କୋଭିଡ଼୍ ଟେଷ୍ଟ କରାଯିବ । ଆସନ୍ତା ୨୮ ତାରିଖରେ ରଥ ଦକ୍ଷିଣ ମୋଡ ହେବା ପୂର୍ବରୁ ଏହି କୋଭିଡ଼୍ ଟେଷ୍ଟ ପ୍ରକ୍ରିୟା ଶେଷ ହେବ । ଯେଉଁମାନଙ୍କର ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିବ ସେହିମାନେ ହିଁ କେବଳ ରଥଯାତ୍ରାରେ ସାମିଲ୍ ହେବେ ।
ଏହା ବ୍ୟତୀତ ସମ୍ପୂର୍ଣ୍ଣ ପୁରୀ ସହରକୁ ସାନିଟାଇଜ୍ କରାଯିବ । ସେବାୟତଙ୍କ ପରିବାର ସଦସ୍ୟଙ୍କୁ କରୋନା ବାବଦରେ ସଚେତନ କରାଯିବା ସହିତ କୋଭିଡ଼୍ ନିୟମ ସମ୍ପର୍କରେ ଅବଗତ କରାଯିବ । କୋଭିଡ଼୍ ନିୟମ ସମ୍ପର୍କରେ ସେମାନଙ୍କୁ ଅବଗତ କରିବା ନିମନ୍ତେ ଟିମ୍ ଗଠନ କରାଯିବ । ସେହିପରି ରଥଯାତ୍ରା ପାଇଁ ଆଉ ୫ ହଜାର ମାସ୍କ ମଗାଯାଇଥିବା ନେଇ ସେ ସୂଚନା ଦେଇଛନ୍ତି ।