
ପୁରୀ- ଆଜି ଆଷାଢ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ତିନି ରଥ ଘର ଘର ନାଦ କରି ବଡ଼ଦାଣ୍ଡରେ ଗଡିଛି । ରଥ ଯାତ୍ରାକୁ ନେଇ ବିଗତ ଦିନରେ ଲାଗି ରହିଥିବା ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଶେଷରେ ମହାପ୍ରଭୁ ମହାବାହୁଙ୍କ ଇଚ୍ଛାରେ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଛି । ନବଦିନାତ୍ମକ ରଥଯାତ୍ରାରେ ଚତୁର୍ଦ୍ଧାମୂର୍ତି ରତ୍ନବେଦିରୁ ଜନ୍ମବେଦୀକୁ ଯାତ୍ରା ଆରମ୍ଭ କରିଛନ୍ତି । ବିଶ୍ୱ ମହାମାରୀ କରୋନାକୁ ନେଇ କେନ୍ଦ୍ରୀୟ କୋଭିଡ଼୍ ଗାଇଡ଼୍ ଲାଇନ୍ ଅନୁଯାୟୀ, କୌଣସି ଧାର୍ମିକ ଯାତ୍ରା ଓ ଜନସମାଗମକୁ ବାରଣ କରାଯାଇଥିଲା । କୋଟି କୋଟି ଭକ୍ତଙ୍କ ମନର ଦୁଃଖ ଓ ଆଖିର ଲୁହକୁ ହୃଦୟଙ୍ଗମ କରି ସୁପ୍ରିମକୋର୍ଟ କେବଳ ପୁରୀ ରଥଯାତ୍ରା ପାଇଁ ଗତକାଲି କଟକଣାରହିତ ଅନୁମତି ପ୍ରଦାନ କରିଥିଲେ । ଶ୍ରୀମନ୍ଦିର ସେବାୟତ, ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ସୁପ୍ରିମକୋର୍ଟ ଦେଇଥିବା ଆଦେଶ ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭୋର୍ ୩ଟାରୁ ମଙ୍ଗଳ ଆଳତୀ ଆରମ୍ଭ ହୋଇଥିଲା । ପରେ ପରେ ମଇଲମ, ତଡ଼ପଲାଗି, ରୋଷ ହୋମ ପରେ ଅବକାଶ ନୀତି ଶେଷ ହୋଇଥିଲା । ଏହାପରେ ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ବେଶ ଶେଷ ହୋଇଥିଲା ।

ଗୋପାଳବଲ୍ଲଭ ଭୋଗ ଓ ସକାଳ ଧୂପରେ ଖେଚୁଡି ଭୋଗ କରାଯାଇ ସମସ୍ତ ପ୍ରସ୍ତୁତି କାର୍ଯ୍ୟ କରାଯାଇଥିଲା । ଶ୍ରୀମନ୍ଦିର ପୁରୋହିତ ଓ ସ୍ରୋତୀୟ ବ୍ରାହ୍ମଣ ମାନେ ସିଂହଦ୍ୱାର ସମ୍ମୁଖରେ ଥିବା ତିନି ରଥକୁ ପ୍ରତିଷ୍ଠା କରିଥିଲେ । ପ୍ରଭୁଙ୍କ ମଙ୍ଗଳାର୍ପଣ କରାଯାଇ ଧାଡି ପହଣ୍ଡି ଆରମ୍ଭ ହୋଇଥିଲା । ପ୍ରଥମେ ଶ୍ରୀ ସୁଦର୍ଶନଙ୍କୁ ସେବାୟତ ମାନେ ପହଣ୍ଡିରେ ଆଣି ମା ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବିଜେ କରାଇଥିଲେ । ପରେ ପ୍ରଭୁ ଶ୍ରୀ ବଳଭଦ୍ର, ମା ସୁଭଦ୍ରା ଓ ଶେଷରେ ହଟିଆ ଠାକୁର ଶ୍ରୀ ଜଗନ୍ନାଥଙ୍କୁ ପହଣ୍ଡି କରାଯାଇ ରଥାରୁଢ଼ କରାଯାଇଥିଲା । ଆକର୍ଷଣୀୟ ଟାହିଆ ଘଟୁଂଆଙ୍କ ଘଂଟ ଘଂଟା ଶବ୍ଦର ତାଳେ ତାଳେ ପ୍ରଭୁ ଶ୍ରୀ ଜଗନ୍ନାଥ ସିଂହଦ୍ୱାର ଅତିକ୍ରମ କରିବା ସମୟରେ ଜୟ ଜଗନ୍ନାଥ ଧ୍ୱନୀରେ ସିଂହଦ୍ୱାର ପ୍ରକମ୍ପିତ ହୋଇ ଉଠିଥିଲା । ଚତୁର୍ଦ୍ଧାମୂର୍ତି ରଥାରୁଢ଼ ହେବା ପରେ ସିଂହାସନ ଉପରେ ରୁନ୍ଧା ହୋଇଥିଲେ ।

ଏହା ପରେ ମଦନମୋହନ ରଥକୁ ବିଜେ କରିଥିଲେ । ସ୍ନାନପୂର୍ଣ୍ଣମୀ ଦିନ ପହଣ୍ଡି ପାଇଁ ରତ୍ନ ଚିତା ଖୋଲା ଯାଇଥିଲା । ରଥାରୁଢ ହେବା ପରେ ବିଗ୍ରହ ମାନଙ୍କୁ ଫୁଲରେ ନିର୍ମିତ ଚିତା ଲାଗି ହୋଇଥିଲା । ଯାତ୍ରା ପାଇଁ ଚତୁର୍ଦ୍ଧା ମୂର୍ତିଙ୍କୁ ଆକର୍ଷଣିୟ ବେଶ କରାଯାଇଥିଲା । ଶଙ୍କରାଚାର୍ଯ୍ୟ ନିଜର ଅନୁଗାମୀ ମାନଙ୍କ ସହିତ ଆସି ରଥାରୁଢ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରିଥିଲେ । ଗଜପତି ମହାରାଜ ତାନ୍ ଜାନ୍ ରେ ଶ୍ରୀନଅରରୁ ଆସି ତିନି ରଥରେ ଛେରା ପହଁରା କରିଥିଲେ । ଛେରା ପହଁରା ପରେ ତିନି ରଥରୁ ଚାରମାଳ ଫିଟା ଯିବା ପରେ ଘୋଡ଼ା ସାରଥି ଲାଗିଥିଲା । ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜରଥ, ପରେ ମା ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ ନନ୍ଦିଘୋଷ ରଥ ଶ୍ରୀ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ।
