ନୂଆଦିଲ୍ଲୀ- ବାସ୍ତବିକ ନିୟନ୍ତ୍ରଣ ରେଖା ନେଇ କେନ୍ଦ୍ର ସରକାର ନିୟମ ବଦଳାଇଛନ୍ତି । ଲଦ୍ଦାଖର ଗଲୱାନ ଘାଟିରେ ଚୀନ ସୈନିକଙ୍କ ସହିତ ସଂଘର୍ଷ ପରେ ଭାରତ ସରକାର ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲ୍ଏସି)ରେ ମୁତୟନ ଭାରତୀୟ ସୈନିକଙ୍କୁ ପୂର୍ଣ୍ଣ ସ୍ୱାଧୀନତା ଦେଇଛନ୍ତି । ଏହି ଆଧାରରେ ସେନାର ଫିଲ୍ଡ କମାଣ୍ଡରଙ୍କୁ ସ୍ୱତନ୍ତ୍ର ପରିସ୍ଥିତିରେ ଯବାନମାନଙ୍କୁ ଅସ୍ତ୍ରର ଉପଯୋଗ କରିବା ପାଇଁ ଅଧିକାର ଦେଇପାରନ୍ତି ।
ସରକାରଙ୍କ ନୂତନ ନିୟମ ଅନୁସାରେ ଏଲଏସିରେ ମୁତୟନ କମାଣ୍ଡର ସୈନିକମାନଙ୍କୁ ସାମରିକ ସ୍ତରରେ ସ୍ଥିତିକୁ ସମ୍ଭାଳିବା ଓ ଶତ୍ରୁଙ୍କ ଦୁଃଶାହସକୁ କଡ଼ାଜବାବ ଦେବାକୁ ପୂରା ସ୍ୱାଧୀନତା ମିଳିବ । ସୂଚନାଯୋଗ୍ୟ, ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର କହିଥିଲେ, ଉଭୟ ପକ୍ଷର ସେନା ୧୯୯୬ ଓ ୨୦୦୫ରେ ଏକ ଦ୍ୱିପାକ୍ଷୀକ ବୁଝାମଣାର ବ୍ୟବସ୍ଥା ଅନୁସାରେ ଅସ୍ତ୍ରର ବ୍ୟବହାର କରିବେ ନାହିଁ । ସେ ଜବାବରେ କହିଥିଲେ ଯେ, ଜୁନ ୧୫ରେ ଗଲୱାନ ଘାଟିରେ ହୋଇଥିବା ସଂଘର୍ଷ ସମୟରେ ଭାରତୀୟ ଯବାନମାନେ ଏଥିପାଇଁ ଅସ୍ତ୍ରପ୍ରୟୋଗ କରିନଥିଲେ ।
ଚୀନ ସହିତ ସୀମାରେ ଦେଖାଯାଇଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ସରକାର ଅସ୍ତ୍ର ଓ ଗୁଳି କିଣିବାକୁ ସେନାର ୩ ବିଭାଗକୁ ୫୦୦ କୋଟି ଟଙ୍କା ମଂଜୁର କରିଛନ୍ତି । ଜଣେ ବରିଷ୍ଠ ଅଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ସେନାର ୩ ବିଭାଗ ସ୍ଥଳ ସେନା, ବାୟୁସେନା ଓ ନୌସେନାରେ ଏହି ଟଙ୍କା ବିନିଯୋଗ କରାଯିବ ।