କଟକ – କୋଭିଡ୍ -୧୯ ଯୋଗୁଁ ବନ୍ଦ ରହିଥିବା କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଉଚ୍ଚଶିକ୍ଷା ବିଭାଗ ଗତ ୧୭ ତାରିଖଠାରୁ ଖୋଲିଥିବାରୁ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ତରଫରୁ ଏହାର ବିରୋଧ କରାଯିବା ସଙ୍ଗେସଙ୍ଗେ ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ଦାବି କରାଯାଇଛି ।
ମହାସଂଘ ପକ୍ଷରୁ ଆଜି ଏଠାରେ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, କେନ୍ଦ୍ର ସରକାର ଅଗଷ୍ଟ ୧୫ ଓ ରାଜ୍ୟ ସରକାର ଜୁଲାଇ ୩୧ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାଗୁଡ଼ିକ ବନ୍ଦ ରହିବ ବୋଲି ଘୋଷଣା କରିଥିଲେ । ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ଏହାକୁ ସମ୍ପୂର୍ଣ୍ଣ ଅବଜ୍ଞା କରି ଉଚ୍ଚଶିକ୍ଷା ବିଭାଗ ଗତ ୧୭ ତାରିଖଠାରୁ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଖୋଲିଦେଇଛନ୍ତି । ବିଭାଗର ନୂତନ ନିଷ୍ପତ୍ତି ଅନୁସାରେ ଛାତ୍ରମାନେ ଶିକ୍ଷାନୁଷ୍ଠାନକୁ ଆସିବେନାହିଁ ଏବଂ ପାଠପଢ଼ା ହେବନାହିଁ । କିନ୍ତୁ ଅଧ୍ୟାପକ ଓ କର୍ମଚାରୀମାନେ କଲେଜ ଓ ବିଶ୍ୱବିଦ୍ୟାଳୟରେ ଉପସ୍ଥିତ ରହିବେ । ତେବେ ଅଧ୍ୟାପକମାନେ ଶିକ୍ଷାନୁଷ୍ଠାନରେ ଏକତ୍ର ହୋଇ କ’ଣ କରିବେ ଉଚ୍ଚଶିକ୍ଷା ବିଭାଗ ତାହା ସ୍ପଷ୍ଟ କରିନାହାନ୍ତି ।
ପ୍ରାୟ ସମସ୍ତ କଲେଜରେ ଷ୍ଟାଫ କମନ ରୁମ୍ଗୁଡିକ ଆକାରରେ କ୍ଷୁଦ୍ର ଓ ତହିଁରେ ଆବଶ୍ୟକ ସଂଖ୍ୟକ ଆସବାବପତ୍ର ନାହିଁ । ତେଣୁ ‘ସାମାଜିକ ଦୂରତା’ ରକ୍ଷାକରି ସେଠାରେ ବସିବା ସମ୍ଭବ ନୁହେଁ । ରାଜ୍ୟରେ ବସ୍ ଚଳାଚଳ ସ୍ୱାଭାବିକ ହୋଇନଥିବାରୁ ଅଧ୍ୟାପକମାନେ ଯାଆସ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଆମ ରାଜ୍ୟରେ କଲେଜ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀଙ୍କ ସଂଖ୍ୟା କିଛି କମ୍ ନୁହେଁ । ରାଜ୍ୟବ୍ୟାପୀ ସେମାନଙ୍କର ଦୈନିକ ଚଳପ୍ରଚଳ କରୋନା ସଂକ୍ରମଣଙ୍କୁ ବଢ଼ାଇଦେବାର ଆଶଂକା ରହିଛି । ତେଣୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ମହାସଂଘର ଜାତୀୟ କାର୍ଯ୍ୟକାରୀ ପରିଷଦର ସଦସ୍ୟ ଡକ୍ଟର ନାରାୟଣ ମହାନ୍ତି ଦାବି କରିଛନ୍ତି ।