-
‘କଳା ଅଭ୍ୟାସ: ବର୍ତ୍ତମାନ ଏବଂ ଭବିଷ୍ୟତ’ ପ୍ରସଙ୍ଗରେ ହେଲା ଅନଲାଇନ ଓ୍ଵେବିନାର୍
ବାଲେଶ୍ଵର, ୨୦/୬: (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ରେମୁଣା ଗୋଲେଇ ସ୍ଥିତ ଅଗ୍ରଣୀ କଳା ଅନୁଷ୍ଠାନ ‘ଦ ଫରଗ୍ରାଉଣ୍ଡ୍’ ତରଫରୁ ‘କଳା ଅଭ୍ୟାସ: ବର୍ତ୍ତମାନ ଏବଂ ଭବିଷ୍ୟତ’ ଉପରେ ଏକ ଅନଲାଇନ ଆଲୋଚନା ଚକ୍ର ଗୁଗୁଲ୍ ମିଟ୍ ପ୍ଲାଟଫର୍ମରେ ଆୟୋଜିତ ହୋଇଯାଇଛି। ଆଜି ଦିନ ୧୦.୩୦ ରୁ ୧୨.୩୦ ପର୍ଯ୍ୟନ୍ତ ଏହି ଓ୍ଵେବିନାର୍ ଚାଲୁ ରହିଥିଲା। ଏଥିରେ ଚିତକାରା ବିଶ୍ବବିଦ୍ୟାଳୟର ସହଯୋଗୀ ପ୍ରଫେସର ଡକ୍ଟର ଅର୍ଜୁନ କୁମାର ସିଂ ( ଚଣ୍ଡିଗଡ ), ଚିତକାରା ବିଶ୍ଵବିଦ୍ୟାଳୟର ଡିନ୍ ପ୍ରଫେସର ଡକ୍ଟର ରଞ୍ଜନ ମଲ୍ଲିକ (ପଞ୍ଜାବ), ବିଖ୍ୟାତ ମୂର୍ତ୍ତିକାର ଡକ୍ଟର ଜ୍ଞାନେଶ୍ ମିଶ୍ର (ବାଙ୍ଗାଲୋର), ବିଖ୍ୟାତ ଶିଳ୍ପୀ ଅମିତ ଦତ୍ତ (ନୂଆଦିଲ୍ଲୀ), ଡକ୍ଟର ଅନୁପ୍ କୁମାର ଚାନ୍ଦ(ନୂଆଦିଲ୍ଲୀ), ରାଜ୍ୟ ଲଳିତକଳା ଏକାଡେମୀର ପୂର୍ବତନ ସମ୍ପାଦକ ରବିନାରାୟଣ ରଥ (ଓଡିଶା), ବି.କେ. କଲେଜ ଓଫ୍ ଆର୍ଟ ଏଣ୍ଡ୍ କ୍ରାଫ୍ଟ୍ର ଅନୁଷଦ ମୀନକେତନ ପଟ୍ଟନାୟକ (ଭୁବନେଶ୍ବର), ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ ପ୍ରସଙ୍ଗ ଉପରେ ସାରଗର୍ଭକ ଆଲୋଚନା କରିଥିଲେ।
ଏହି ଆଲୋଚନା ରେ ଡକ୍ଟର ଅନୁପ କୁମାର ଚାନ୍ଦ, ଅତୀତର ଦୃଷ୍ଟାନ୍ତ ଦେଇ କଳାର ଅଗ୍ରସର ବିଷୟରେ କହିବା ସହ ଯୁବପିଢିକୁ ସୋସିଆଲ୍ ମିଡିଆ ଦ୍ବାରା କେମିତି ନିଜର କଳାକୁ ପରିସ୍ଫୁଟ କରି ପାରିବେ, ସେ ବିଷୟରେ ପରାମର୍ଶ ଦେଇଥିଲେ। ସରକାର କଳା କ୍ଷେତ୍ରରେ କଣ ପଦକ୍ଷେପ ନେଉଛନ୍ତିି ଓ ଓଡିଶା ଲଳିତକଳା ଏକାଡେମୀ କଣ ପଦକ୍ଷେପ ନେଇଚି ସେ ବିଷୟରେ ଶ୍ରୀ ରବିନାରାୟଣ ରଥ ମତବ୍ୟକ୍ତ କରିଥିଲେ। କଳାର ଉତ୍ସ କଣ, ଆମ୍ଭେମାନେ କଳା ସହ କେମିତି ଜଡିତ ଏବଂ ଏହି ସାର୍ବଦେଶିକ ପରିସ୍ଥିତିକୁ କଳା ମାଧ୍ୟମରେ ପରିପ୍ରକାଶ କରିହେବ ବୋଲି ଶ୍ରୀ ଅମିତ ଦତ୍ତ ଆଲୋକପାତ କରିଥିଲେ। ଡକ୍ଟର ଅର୍ଜୁନ ସିଂ ମତ ଦେଇ କହିଲେ, କୋଭିଡ-୧୯ରୁ ଦୂରେଇ ରହିବାକୁ ହେଲେ ସୃଜନଶୀଳତାକୁ ବୃଦ୍ଧି କରିବାକୁ ହେବ ଏବଂ ସବୁ ଚିତ୍ରକରଙ୍କୁ ଏକତ୍ରିତ ହେଇ କାର୍ଯ୍ୟ କରିବକୁ ପଡିବ। ଶ୍ରୀ ମୀନକେତନ ପଟ୍ଟନାୟକ ଯୁବ ଚିତ୍ରଶିଳ୍ପୀମାନଙ୍କ ମାନସିକତା ବିଷୟରେ ମତ ଦେଇଥିବା ବେଳେ ଡକ୍ଟର ରଞ୍ଜନ ମଲ୍ଲିକ କଳା ଏବଂ କଳାର ଶିକ୍ଷା ସଂପର୍କରେ କହିବାକୁ ଯାଇ ଏହାର ବିକାଶ ଓ ପରିବର୍ତ୍ତନର ଦିଗ ଦେଖାଇଥିଲେ। ଶେଷରେ କୋରନା ପ୍ରଭାବରେ କଳାକ୍ଷେତ୍ରରେ ଯେଉଁ ପ୍ରତିକ୍ରିୟା ପ୍ରକାଶିତ ହୋଇଛି, ତାହାକୁ ଏକ ନୂତନ ଶବ୍ଦ ‘କୋରନାବାଦ’ରେ ନାମିତ କରିହେବ କି ବୋଲି ତା’ଉପରେ ଆଲୋଚନା କରା ଯାଇଥିଲା।
ସମଗ୍ର ଭାରତରୁ ୭୦ ଜଣରୁ ଊର୍ଦ୍ଧ୍ଵ ଚିତ୍ରଶିଳ୍ପୀ, ଚିତ୍ର ସମାଲୋଚକ, କଳା ଶିକ୍ଷାବିତ୍ ଅଂଶ ଗ୍ରହଣ କରି ଭାରତୀୟ କଳା ଓ କଳାକାରମାନଙ୍କର ଆଗାମୀ ସ୍ଥିତି ଓ ଅବସ୍ଥିତି ଉପରେ ସାରଗର୍ଭକ ଚର୍ଚ୍ଚା କରିଥିଲେ। ଏହି ଆଲୋଚନା ଚକ୍ରରେ ‘ଦ ଫରଗ୍ରାଉଣ୍ଡ୍’ର ସଭାପତି ଯୁବ ଚିତ୍ରଶିଳ୍ପୀ ପ୍ରୀତମ ନାୟକ ମୁଖ୍ୟ ସଂଚାଳକ ଭାବରେ ଯୋଡି ହୋଇଥିଲେ।