ନୂଆଦିଲ୍ଲୀ– ଯାହା ଆମ୍ଭମାନଙ୍କୁ ଏକ ସାଥୀରେ ଆଣିଥାଏ ଅଥବା ଯୋଡ଼ିବାରେ ବଡ଼ ଭୂମିକା ନେଇଥାଏ, ତାହା ହିଁ ଯୋଗ । ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏହା କହିଛନ୍ତି । ପ୍ରଧାନମନ୍ତ୍ରୀ ଯୋଗ ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଯୋଗ ଦିବସ ଏକତ୍ର ହେବାର ଗୋଟିଏ ଦିନ । ଏହି ଦିବସ ଦୂରତ୍ୱକୁ ଶେଷ କରିଥାଏ । ଏହା ହେଉଛି ଯୋଗ । ଯୋଗ ଦ୍ୱାରା ଶରୀରର ରୋଗ ପ୍ରତିଷେଧକ କ୍ଷମତା ବଢ଼ିଥାଏ । ଯୋଗ କଲେ ଶରୀର ସୁସ୍ଥ ରହିବ ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆଜି ଭାବାତ୍ମକ ଯୋଗର ଦିନ । ପ୍ରତିଦିନ ପ୍ରାଣାୟାମ କରନ୍ତୁ । ବିଶ୍ୱରେ ଯୋଗର ଉତ୍ସାହ ବଢ଼ିଛି । ଯୋଗର ଅର୍ଥ ସମର୍ପଣ ଓ ସଫଳତା । ପ୍ରତ୍ୟେକ ପରିସ୍ଥିତିରେ ସମାନ ରହିବାର ନାମ ହେଉଛି ଯୋଗ । ଯୋଗରେ କୌଣସି ଭେଦଭାବ ନଥାଏ । ଯୋଗ ଯେକୌଣସି ବ୍ୟକ୍ତି କରିପାରିବେ । ଯୋଗ କରାଯିବା ଦ୍ୱାରା ଶାନ୍ତି ଓ ସହନଶକ୍ତି ମିଳିଥାଏ । ମୋଦୀ ଯୋଗକୁ କର୍ମର କୁଶଳତା କହିଛନ୍ତି । କରୋନା ଭାଇରସରୁ ବର୍ତ୍ତିବା ପାଇଁ ଯୋଗର ଆବଶ୍ୟକତା ରହିଛି ।
କରୋନା ମହାମାରୀ ଯୋଗୁଁ ଏଥର ଯୋଗର ଥିମ- ସ୍ୱାସ୍ଥ୍ୟ ପାଇଁ ଯୋଗ-ଘରେ ଥାଇ ଯୋଗ (ଯୋଗା ଫର ହେଲଥ- ଯୋଗା ଫ୍ରମ ହୋମ) ରଖାଯାଇଛି । ଏହାର ଅର୍ଥ ସ୍ୱାସ୍ଥ୍ୟ ପାଇଁ ଯୋଗ- ଘରେ ଥାଇ ଯୋଗ । ଏହାଦ୍ୱାରା ଲୋକେ କରୋନା ଭାଇରସରୁ ବର୍ତ୍ତି ପାରିବେ । କରୋନା ସଂକଟ କାଳରେ ଯୋଗର ଗୁରୁତ୍ୱ ଅଧିକ ବଢ଼ିଯାଇଛି । କାରଣ ଯୋଗ କଲେ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ରୋଗ ସହ ଲଢ଼ିବାର କ୍ଷମତା ବଢ଼ିବ ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଶିଶୁ, ବୟସ୍କ, ଯୁବ, ପରିବାରର ବରିଷ୍ଠ ନାଗରିକ ସମସ୍ତ ଯୋଗ ମାଧ୍ୟମରେ ଯୋଡ଼ିପାରିବେ । ଏହା ଦ୍ୱାରା ପରିବାରରେ ଏକ ଅଦ୍ଭୁତ ଶକ୍ତି ସଂଚାର ହୋଇଥାଏ । ସ୍ୱାମୀ ବିବେକାନନ୍ଦ କହୁଥିଲେ, ନିତ୍ୟାନ୍ତ ନିର୍ଜନରେ ମଧ୍ୟ ଯିଏ କ୍ରିୟାଶୀଳ ହୋଇପାରନ୍ତି, ସେ ହେଉଛନ୍ତି ଆଦର୍ଶ ବ୍ୟକ୍ତି । ଅତ୍ୟଧିକ ଗତିଶୀଳତାରେ ମଧ୍ୟ ସଂପୂର୍ଣ୍ଣ ଶାନ୍ତିର ଅନୁଭବ କରୁଥିବା ମଣିଷକୁ ବହୁତ ବଡ଼ କ୍ଷମତା ପ୍ରାପ୍ତ ହୋଇଥାଏ ।