ନୂଆଦିଲ୍ଲୀ– ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ଆଜି ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପାକିସ୍ତାନୀ ସେନା ପଂଛ ଜିଲ୍ଲାର ବାଲାକୋଟ ସେକ୍ଟରକୁ ଲାଗିଥିବା ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଜଣାଯାଇଛି । ପାକିସ୍ତାନୀ ସେନାମାନେ ଆଜି ସକାଳ ୬ଟା ୧୫ରେ ଭାରତ ପଟକୁ ଗୁଳି କରିଥିବା ବେଳେ ମୋର୍ଟାର ସାହାଯ୍ୟରେ ଗୁଳି ବର୍ଷା କରିଛି । ପାକିସ୍ତାନର ଏହି ଅସ୍ତ୍ରବିରତି ଉଲ୍ଲଂଘନ ପରେ ଭାରତୀୟ ସେନାର ଏହାର ଜବାବ ଦେଇଛି ।
ସେହିପରି ଶ୍ରୀନଗରର ଜାଦିବାଲ ଅଚଂଳରେ ଆତଙ୍କବାଦୀ ଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସେନାକୁ ସୂଚନା ମିଳିବା ପରେ ସୁରକ୍ଷାବାହିନୀର ଯବାନମାନେ ସର୍ଚ୍ଚ ଅପରେଶନ ଆରମ୍ଭ କରିଛନ୍ତି । ଏହି ଅଂଚଳରେ ମୋବାଇଲ ଓ ଇଣ୍ଟରନେଟ ସେବା ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି । ରିପୋର୍ଟ ଲେଖାଯିବା ବେଳକୁ ସୁରକ୍ଷା ବାହିନୀର ଯବାନମାନେ ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି । ସୁରକ୍ଷା ବାହିନୀର ଯବାନମାନେ ଶୋପିଆରେ ଆତଙ୍କବାଦୀଙ୍କ ଉପରେ ଏନକାଉଣ୍ଟର କରିଛନ୍ତି । ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୩ ଜଣ ଆତଙ୍କବାଦୀ ଗିରଫ ହୋଇଛନ୍ତି ।