କନ୍ଧମାଳ– ସୃଜନଶୀଳ ସ୍ୱାସ୍ଥ୍ୟ ସେବା ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନକୁ ସ୍କଚ୍ ଆୱାର୍ଡ଼ (ସିଲଭର)ରେ ସମ୍ମାନିତ କରାଯାଇଛି ।
ଜିଲ୍ଲାର ଦୁର୍ଗମ ଅଂଚଳରେ ଯାନବାହନ କିମ୍ବା ଆମ୍ବୁଲାନ୍ସ ସେବା ଅପହଂଚ ଇଲାକା ଗୁଡିକରେ ସ୍ୱାସ୍ଥ୍ୟ ସେବା ପହଂଚାଇବା ପାଇଁ ପ୍ରସବ ଯାନ ଏବଂ ବାଇକ୍ ଆମ୍ବୁଲାନ୍ସର ଆରମ୍ଭ କରାଇ ଦୁର୍ଗମ ଅଂଚଳରେ ଥିବା ନିଃସହାୟ ଗରିବ ଲୋକଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ସହ ସେ ଅଂଚଳ ଗୁଡିକରେ ବାଇକ୍ ଆମ୍ବୁଲାନ୍ସ ଯୋଗେ ପହଂଚି ଗର୍ଭବତୀ ମହିଳା ମାନଙ୍କୁ ଆଣି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରସବ କରାଇବା ଭଳି ଉଲ୍ଲେଖନୀୟ ସେବା ପ୍ରଦାନ ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତଥା ଜିଲ୍ଲା ପ୍ରଶାସନକୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ସେବା ଯୋଗୁ କନ୍ଧମାଳ ଜିଲ୍ଲାରେ ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ ପାଇଛି ।
ସୂଚନା ଅନୁଯାୟୀ, ବାଇକ୍ ଆମ୍ବୁଲାନ୍ସ ଓ ପ୍ରସବ ଯାନ ପାଇଁ ଜିଲ୍ଲାରେ ଆଜି ସୁଦ୍ଧା ୭୬୭ ଜଣ ଗର୍ଭବତୀଙ୍କ ସଠିକ୍ ଭାବେ ପ୍ରସବ ହୋଇପାରିଛି । ଜାତୀୟ ସମ୍ମାନଜନକ ସ୍କଚ୍ ଆୱାର୍ଡରେ ଭାଗ ନେବା ପାଇଁ ଏହି ପ୍ରକଳ୍ପ ମନୋନୀତ ହୋଇଥିଲା । ଏଥିପାଇଁ ବିଭାଗୀୟ ଡାକ୍ତର ଅଭୟ କୁମାର ପଟ୍ଟନାୟକ ଓ ଡିଏମଆର ସିଏଚ ଆଶିଷ କୁମାର ମହାନ୍ତି ଦିଲ୍ଲୀ ଯାଇ ଏହି ପ୍ରକଳ୍ପ ସମ୍ପର୍କରେ କମିଟି ସମ୍ମୁଖରେ ତଥ୍ୟ ଉପସ୍ଥାପନ କରିଥିଲେ । ଏହାପରେ ଭୋଟିଂରେ କନ୍ଧମାଳ ଜିଲ୍ଲା ପ୍ରଶାସନକୁ ଏହି ସମ୍ମାନ ଜନକ ଆୱାର୍ଡ଼ ମିଳିଥିଲା ।