
ଭୁବନେଶ୍ୱର– ଆଜି ଆଷାଢ଼ ମାସ କୃଷ୍ଣ ଅମାବାସ୍ୟା ତିଥିରେ ରାହୁଗ୍ରସ୍ତ କଙ୍କଣ ଗ୍ରାସ ସୂର୍ଯ୍ୟପରାଗ ସମ୍ପୂର୍ଣ୍ଣ ଭାରତରେ ଦୃଶ୍ୟମାନ ହୋଇଛି । ତେବେ ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବା ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିଥିବାରୁ ଲୋକେ ଏହି ମହାଜାଗତିକ ଦୃଶ୍ୟ ଦେଖିବାରୁ ସମ୍ପୂର୍ଣ୍ଣ ବଂଚିତ ରହିଛନ୍ତି । ଅପରାହ୍ନ ୨ଟା ୯ ମିନିଟ୍ ୪୦ ସେକେଣ୍ଡ ପରେ ଠାକୁରଙ୍କୁ ମହାସ୍ନାନ ପୂର୍ବକ ବିଭିନ୍ନ ଦେବାଳୟରେ ଠାକୁରଙ୍କ ଦେବନୀତି ଓ ଘରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି ।

ଏହି ପରାଗ କାଳର ଅବଧି ୪ ଘଂଟା ୩୧ ମିନିଟ୍ ୨୬ ସେକେଣ୍ଡ ରହିବ ବୋଲି ପୂର୍ବରୁ ପାଞ୍ଜିରେ ଗଣନା କରାଯାଇଛି । ସେହିପରି ପରାଗ ସ୍ପର୍ଶ ଦିବା ୧୦ଟା ୩୮ ମିନିଟ୍ ୨୦ ସେକେଣ୍ଡରେ ଆରମ୍ଭ ହୋଇ ସର୍ବମୋକ୍ଷ ଦିବା ୨ଟା ୯ ମିନିଟ୍ ୪୦ ସେକେଣ୍ଡରେ ହୋଇଥିଲା । ପରାଗ ସ୍ପର୍ଶର ୧୨ ଘଂଟା ପୂର୍ବରୁ ଅର୍ଥାତ୍ ପୂର୍ବଦିନ ଶନିବାର ରାତି ୧୦ଟା ୩୮ ମିନିଟ୍ ୨୦ ସେକେଣ୍ଡ ଠାରୁ ପାକ ତ୍ୟାଗ, ଦେବନୀତି ଓ ଅନ୍ନଭୋଜନ ନିଷିଦ୍ଧ କରାଯାଇଥିଲା । ପରାଗ ସର୍ବମୋକ୍ଷ ପରେ ଅର୍ଥାତ୍ ଦିବା ୨ଟା ୯ ମିନିଟ୍ ୪୦ ସେକେଣ୍ଡ ପରେ ମହାସ୍ନାନ କରାଇ ଦେବତାଙ୍କର ଦେବନୀତି କରଣୀୟ । ତାହାକୁ ଆଧାର କରି ରାଜ୍ୟର ସମସ୍ତ ଦେବାଳୟ ଓ ଘରେ ଦେବନୀତି ପାଳନ କରାଯାଇଛି ।