ନୂଆଦିଲ୍ଲୀ, ଭୁବନେଶ୍ୱର– ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା ନିମିତ୍ତ ସମସ୍ତ ପ୍ରତିବନ୍ଧକ ଦୂର କରାଯାଉ ବୋଲି ଦାବି କରିଛି ବିଶ୍ବ ହିନ୍ଦୁ ପରିଷଦ ।
ବିଶ୍ୱ ହିନ୍ଦୁ ପରିଷଦର ଜାତୀୟ ସାଧାରଣ ସଂପାଦକ ଶ୍ରୀ ମିଳିନ୍ଦ ପାରାନ୍ଦେ କହିଛନ୍ତିଯେ ମହାପ୍ରଭୂ ଜଗନ୍ନାଥଙ୍କର ଏହି ପାରମ୍ପରିକ ଘୋଷଯାତ୍ରା ଶହଶହ ବର୍ଷ ଧରି ନିରବିଚ୍ଛିନ୍ନ ଭାବେ ସନାତନୀ ହିନ୍ଦୁଧର୍ମର ଧାର୍ମିକ ରୀତିନୀତି ସହ ପାଳନ ହେଇ ଆସୁଛି ।
ଏବର୍ଷ ମଧ୍ୟ ମହାମାରୀ କରୋନା ସତ୍ତ୍ୱେ , ସାଧାରଣ ନିୟମବଦ୍ଧତା ଭିତରେ ପବିତ୍ର ବଡଦାଣ୍ଡରେ ଏହା ମଧ୍ୟ ପାଳନ କରା ଯାଇପାରିବ ।
ଏଥି ନିମିତ୍ତ ଶାସନରେ ଥିବା ରାଜ୍ୟ ସରକାର ଆବଶ୍ୟକୀୟ ଭିତ୍ତିଭୂମି ପ୍ରଦାନ କଲେ , ଉପୁଜି ଥିବା ଦ୍ୱନ୍ଦ ବା ଅନିଶ୍ଚିତତାର ଅବସାନ ଘଟିବ ।
ବର୍ତ୍ତମାନ କରୋନାର ଏହି ଘଡିସନ୍ଧି ମୂହୁର୍ତ୍ତରେ ରଥଯାତ୍ରାରେ ଲକ୍ଷଲକ୍ଷ ଭକ୍ତଙ୍କ ସହୃଦ ଉପସ୍ଥିତି ଆଦୌ ସମ୍ଭବ ନୁହେଁ । ଏଣୁ ମାନ୍ୟବର ସୁପ୍ରିମକୋର୍ଟଙ୍କୁ ଅନୁରୋଧ ଯେ : ରଥଯାତ୍ରା ବାବଦ ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ ବୋଲି ସେ କହିଛନ୍ତି ।
ବିଶ୍ୱ ହିନ୍ଦୁ ପରିଷଦର ଜାତୀୟ ସାଧାରଣ ସଂପାଦକ ଏହା ମଧ୍ୟ କହିଛନ୍ତି ଯେ : ଓଡିଶା ସରକାରର ଆତ୍ମିକ ତଥା ପ୍ରମୁଖ ଦାୟୀତ୍ୱ ଏହି ପାରମ୍ପରିକ ଘୋଷଯାତ୍ରାକୁ କିପରି ସୁଚାରୁ ରୂପେ ସଂପାଦନ କରାଯାଇପାରିବ ।
ଏମିତିକି ମାନ୍ୟବର ସୁପ୍ରିମକୋର୍ଟ ସାମ୍ନାରେ ରଥଯାତ୍ରା ସମ୍ବନ୍ଧୀୟ ସଠିକ୍ ଯୁକ୍ତି ସମ୍ବଳିତ ତଥ୍ୟ ଉପସ୍ଥାପନରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ଏଣୁ ମାନ୍ୟବର ସୁପ୍ରିମକୋର୍ଟ ରଥଯାତ୍ରା ସମ୍ବନ୍ଧରେ ଚୂଡାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ସମସ୍ତ ପକ୍ଷ ଯେମିତିକି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ଯ ଓ ଛତିଶା ନିଯୋଗ କମିଟିକୁ ବି ଶୁଣିବାର ଥିଲା । ଏପିରିକି ପ୍ରତୀକାତ୍ମକ ଭାବେ ମଧ୍ୟ ହାତୀ,ଯାନ୍ତ୍ରିକ ଉପକରଣ ତଥା ସେବାୟତ ସମୂହଙ୍କର ଜରୁରୀ କୋଭିଡ୍ ଟେଷ୍ଟ କରାଯାଇ ଏହାକୁ ନିୟମବଦ୍ଧତା ଭିତରେ ସଂପାଦିତ କରାଯାଇପାରିବ !
ଶେଷରେ ମହାପ୍ରଭୂଙ୍କ ଅଭିପ୍ସୁ ଭକ୍ତଗଣ ଏହି ଆଶା ଆଶଙ୍କାରେ ଅଛନ୍ତି ଯେ : ଏହି ପାରମ୍ପରିକ ଆବହମାନ ଘୋଷଯାତ୍ରାକୁ ରୋକାଗଲେ ଏହା ଶ୍ରୀମନ୍ଦିରର ବୈଭବଶାଳୀ ଧାର୍ମିକ ପରମ୍ପରା , ସନାତନୀ ହିନ୍ଦୁ ଧର୍ମର ରୀତିନୀତି ତଥା ଆସ୍ଥାବିଶ୍ୱାସର ଇଚ୍ଛାବିରୁଦ୍ଧ ହସ୍ତକ୍ଷେପ ହେବ ବୋଲି ସେ କହିଛନ୍ତି ।