
-
ଅନ୍-ଲାଇନ୍ ରେ ଉନ୍ମୋଚିତ ହେଲା କ୍ଷୁଦ୍ର ଚଳଚ୍ଚିତ୍ର ଏ ଡେ ଫର ଲିଭିଙ୍ଗ ଫସିଲ
ବାଲେଶ୍ବର, ୨୦/୬ :(କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ବଙ୍ଗୋପସାଗରର ବାଲେଶ୍ଵର ସମୁଦ୍ରାଞ୍ଚଳରେ ପରିଦୃଶ୍ୟ ନୀଳରକ୍ତ କଙ୍କଡା ବା ଅଶ୍ଵଖୁରାକୃତି କଙ୍କଡା ( Horseshoe crab) ହେଉଛି ଏକ ବିରଳ ପ୍ରଜାତିର ସାମୁଦ୍ରିକ ପ୍ରାଣୀ। ଏହା ମେରୁଦଣ୍ଡ ବିହୀନ ଏକ ଶକ୍ତ ଖୋଳପା ଦ୍ଵାରା ଆଚ୍ଛାଦିତ ଆର୍ଥ୍ରୋପଡ୍ ପରିବାରଭୁକ୍ତ ଜଳଚର ପ୍ରାଣୀ। ସାଧାରଣତଃ ସମୁଦ୍ର ଉପକୂଳ ଅଞ୍ଚଳରେ ବସବାସ କରନ୍ତି। ଏହାର ନୀଳରକ୍ତରେ ବ୍ୟାକ୍ଟେରିଆ ନାଶକ ଗୁଣ ଥିବାରୁ ମନୁଷ୍ୟ ଶରୀର ପାଇଁ ଏହା ମହୌଷଧି ଭଳି ଅଟେ। ଏହି ବିରଳ ସାମୁଦ୍ରିକ ପ୍ରାଣୀଟିର ସୁରକ୍ଷା ପାଇଁ ବାଲେଶ୍ଵରରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଛି।
୨୦୧୯ ମସିହାରେ ଆନ୍ତର୍ଜାତିକ ନୀଳରକ୍ତ କଙ୍କଡ଼ା ସମ୍ମିଳନୀରେ ଆଇୟୁସିଏନ ଦ୍ବାରା ଜୁନ ୨୦ ତାରିଖକୁ ଆନ୍ତର୍ଜାତିକ ନୀଳରକ୍ତ କଙ୍କଡ଼ା ଦିବସ ଭାବରେ ଘୋଷଣା କରାଯାଇଥିଲା। ନୀଳରକ୍ତ କଙ୍କଡ଼ା ଦେଖା ଯାଉଥିବା ଦେଶମାନଙ୍କରେ ଆଜିର ଦିନଟିକୁ ପ୍ରଥମ ନୀଳରକ୍ତ କଙ୍କଡ଼ା ଦିବସ ଭାବରେ ପାଳନ କରା ଯାଉଥିବା ବେଳେ ବାଲେଶ୍ବରରେ ମଧ୍ୟ ନୀଳରକ୍ତ କଙ୍କଡ଼ା ପ୍ରେମୀମାନେ ଏହି ଦିବସକୁ ପାଳନ କରିଛନ୍ତି ।
ସଂପ୍ରତି କୋରନା ମହାମାରୀ ପାଇଁ ବାଲେଶ୍ବର ଜିଲ୍ଲା କଟକଣା ଭିତରେ ଥିବାରୁ ଗତ ୧୮ ଓ ୧୯ ଦୁଇଦିନ ଡକ୍ଟର ଗୋବିନ୍ଦ ଚନ୍ଦ୍ର ବିଶ୍ବାଳ ନେତୃତ୍ୱରେ ନୀଳରକ୍ତ କଙ୍କଡ଼ା ପ୍ରେମୀମାନେ ସମୁଦ୍ର କୂଳ ସଫେଇ, ଗ୍ରାମବାସୀଙ୍କୁ ସଚେତନତା ଓ ନୀଳରକ୍ତ କଙ୍କଡ଼ାକୁ ଜାଲରୁ ମୁକ୍ତ କରି ସମୁଦ୍ରରେ ଛାଡ଼ିବା କାର୍ଯ୍ୟ ଆଦିର କରିଛନ୍ତି । ବିଶେଷ କରି ଏହି କାର୍ଯ୍ୟକ୍ରମରେ ବାଲେଶ୍ବରର ଏସୋସିଏସନ୍ ଫର୍ ବାୟୋ ଡାଇଭର୍ସିଟି କଞ୍ଜୋର୍ଭେସନର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ବିଶ୍ବାଳ, ସଂପାଦକ ଡକ୍ଟର ସିଦ୍ଧାର୍ଥ ପତି, ଶିଳ୍ପୀ କେଶୁଦାସ, ସୁଧାକର ସେଠୀ ଓ ଫକୀରମୋହନ ବିଶ୍ଵବିଦ୍ୟାଳୟ ର ବାୟୋ-ସାଇନସ୍ ଓ ଟେକନୋଲଜି ବିଭାଗର ମୁଖ୍ଯ ପ୍ରଫେସର୍ ବିଷ୍ଣୁ ପ୍ରସାଦ ଦାଶଙ୍କ ସମେତ ଦୁବଲାଗଡି ଅଂଚଳର ‘ଅମର ଯବାନ୍ ଯୁବ ସଂଗଠନ’ର ସଦସ୍ୟଗଣ ଯୋଗ ଦେଇଥିଲେ।
ଆଜି ଅନ୍-ଲାଇନରେ ଏବିସି ପ୍ରଯୋଜିତ ଶିଳ୍ପୀ କେଶୁଦାସଙ୍କ ନିର୍ଦ୍ଦେଶିତ ଏ ଡେ ଫର ଲିଭିଙ୍ଗ ଫସିଲ (ଜୀବନ୍ତ ଜୀବାଶ୍ମ ପାଇଁ ଦିନଟିଏ) ନାମରେ ଏକ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ମଧ୍ୟ ଉନ୍ମୋଚିତ କରା ଯାଇଥିଲା । ଡକ୍ଟର ପତି ଏହାର ପ୍ରଯୋଜକ ଥିବା ବେଳେ ଏଡିଟିଂ ରନ୍ ଶୁକ୍ଳା, ଡିଓପି ପ୍ରୀତମ୍ ନାୟକ ଓ କ୍ୟାମେରା ଏଲସିଏମ ଲିପୁ କରିଛନ୍ତି। ସେହିପରି ଏହାର ପ୍ରୋଗ୍ରାମ କୋର୍ଡିନେଟର୍ ଅଙ୍କିତ ଦାସ ରହିଥିବା ବେଳେ ଚଳଚ୍ଚିତ୍ରଟିର ଅଭିନୟରେ ଅଛନ୍ତି ମଡ୍ କଳାକାର ଗୁରୁଦାସ, ଅରୁଣ ବାରିକ, କୈଳାଶ ଦାସ, ପ୍ରକାଶ ମହାନ୍ତି, ପ୍ରିୟଙ୍କା ସାମଲ, ସୋନାଲୀ ଦାସ, ଜ୍ୟୋତ୍ସ୍ନା ମାରାଣ୍ଡି ସମେତ ଶିଶୁ କଳାକାର ରୂପାଲୀ, ମୋନାଲୀ, ମାନସୀ, ଆରୁଷୀ, ବିକାଶ, ରଞ୍ଜନ ପ୍ରମୁଖ।
ଆଜି ଦିନ ୩ଟା ସମୟରେ ଏବିସି ଗ୍ଲୋବାଲ ୟୁଟୁବ୍ ଚ୍ୟାନେଲରେ ଅନ୍-ଲାଇନ୍ ମାଧ୍ୟମରେ ଅଭିନବ ଶୈଳୀରେ ଉନ୍ମୋଚନ କରିଥିଲେ ଜିଲ୍ଲା ବନଖଣ୍ଡ ବନାଧିକାର ବିଘ୍ନେଶ୍ବର ପଣ୍ଡା। ଏଭଳି ଏକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ ସାଧୁ ପ୍ରଚେଷ୍ଟା ବୋଲି କହିବା ସହ ଏହା ଜନସାଧାରଣଙ୍କୁ ଆକୃଷ୍ଟ କରି ସଚେତନତା ସୃଷ୍ଟି କରିବାରେ ସହାୟକ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।
ଏଥିସହ ନୀଳରକ୍ତ କଙ୍କଡ଼ାର ସୁରକ୍ଷା ଓ ବିକାଶ ପ୍ରସଙ୍ଗରେ ଏକ ଅନ୍-ଲାଇନ୍ ଓ୍ଵେବିନାର୍ ବା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଫେସର୍ ଶ୍ରୀ ଦାଶ ପୌରୋହିତ୍ୟ କରିଥିବା ବେଳେ ଡକ୍ଟର ପତି ଓ୍ଵେବିନାର୍ ପରିଚାଳନା କରିଥିଲେ। କବି ସୁଧାକର ସେଠୀ ଏକ ଅର୍ଥପୂର୍ଣ୍ଣ କବିତା ଲେଖି ଆବୃତ୍ତି କରିଥିଲେ ଏବଂ ଯୁବ ଚିତ୍ରଶିଳ୍ପୀ ଅଜୟ ଘୋଷ ସୁନ୍ଦର ପୋଷ୍ଟର ଅଙ୍କନ କରି ସାମାଜିକ ଗଣମାଧ୍ୟମରେ ନୀଳରକ୍ତ କଙ୍କଡ଼ା ଦିବସ ପାଳନ କରିବା ସହ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିଥିଲେ।