-
୨ବିଭାଗ ମଧ୍ୟରେ ସମନ୍ୱୟର ଅଭାବ
-
ପେନ୍ ଡାଉନ୍ ଷ୍ଟ୍ରାଇକ୍ରେ ବ୍ରହ୍ମପୁର ଉପଜିଲ୍ଲାପାଳ ଓ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନା ମୁକାବିଲା ପରିଚାଳନାକୁ ନେଇ କିଛିଦିନତଳେ ଖୋଦ୍ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଥିବା ବେଳେ ଦୁଇ ଦୁଇଥର ଗଞ୍ଜାମ ଗସ୍ତରେ ଆସି ପୋଲିସ ମହାନିର୍ଦ୍ଦେଶକ ଅଭୟ କୁମାର ପୋଲିସର କାର୍ଯ୍ୟକୁ ମଧ୍ୟ ପ୍ରଶଂସା କରିଥିଲେ । ଗତ ମାର୍ଚ୍ଚ ୧୫ତାରିଖ ଠାରୁ ଏଯାବତ୍ ପୋଲିସ ଓ ଜିଲ୍ଲା ପ୍ରଶାସନ ଉଭୟେ ସମନ୍ୱୟ ରକ୍ଷାକରି କରୋନା ମୁକାବିଲା କରି ଆସୁଥିଲେ । ଲୋକଙ୍କୁ ସଚେତନତା କରାଇବା ହେଉ କିମ୍ବା ପ୍ରବାସୀ ଓଡ଼ିଆଙ୍କ ଆଗମନକୁ ଦୁଇ ବିଭାଗ ପରିଚାଳନାକରି ନିଜର କାର୍ଯ୍ୟଦକ୍ଷତା ଦେଖାଇଥିଲେ । ଖୋଦ୍ ଜିଲ୍ଲାପାଳ, ଏସ୍ପି ନିଜ ନିଜ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କୁ ନେଇ କରୋନା ମୁକାବିଲା କରୁଥିବା ବେଳେ ଗତ କିଛିଦିନ ହେବ ଏଥିରେ କିଛି ବ୍ୟତିକ୍ରମ ଘଟୁଥିବା ଉପଲବ୍ଧି ହେଉଛି । ବିଶେଷକରି ବ୍ରହ୍ମପୁର ପୋଲିସ ଜିଲ୍ଲା ଓ ପ୍ରଶାସନର ଉପଖଣ୍ଡସ୍ତରରେ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରହୁନଥିବା ନେଇ ଏବେ ଚର୍ଚ୍ଚା ଧରିଛି । ଗତ ୨ଦିନ ତଳେ ଟାଟାବେଞ୍ଜ ଛକରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ହାବୁଡରେ ଜଣେ ପୋଲିସ କର୍ମଚାରୀ ହେଲ୍ମେଟ ଓ ମାସ୍କ ନ ପିନ୍ଧି ପଡିଥିଲେ । ଉପଜିଲ୍ଲାପାଳ ତାଙ୍କ ଠାରୁ ୨୦୦ଟଙ୍କା ଜୋରିମାନା ଆଦାୟ କରିବାକୁ ବ୍ରହ୍ମପୁର ତହସିଲଦାରଙ୍କୁ କହିଥିଲେ । ସେହିଦିନ ଠାରୁ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ତୁ ତୁ ମେ ମେ ଆରମ୍ଭ ହୋଇଥିଲା । ଶୁକ୍ରବାର ରାତ୍ର ୮ଟା ସମୟରେ ଉପଜିଲ୍ଲାପାଳଙ୍କ ସରକାରୀ ଗାଡି ଚଳାଉଥିବା ଡ୍ରାଇଭର ଉପଜିଲ୍ଲାପାଳଙ୍କୁ ତାଙ୍କ ବାସଭବନରେ ଛାଡି ନିଜ ଘରକୁ ଫେରୁଥିବା ବେଳେ ବୈଦ୍ୟନାଥପୁର ପୋଲିସ ପକ୍ଷରୁ କମାପଲ୍ଲୀ ଛକ ଠାରେ କରାଯାଉଥିବା ଯାଞ୍ଚ ବେଳେ ଧରାପଡିଥିଲେ । ଡ୍ରାଇଭରଜଣକ ନିଜ ପରିଚୟ ଦେବାସହ ତାଙ୍କ ସରକାରୀ ପରିଚୟ ପତ୍ର ଦେଖାଇଥିଲେ ମଧ୍ୟ ବୈଦ୍ୟନାଥପୁର ପୋଲିସ ତାଙ୍କୁ ଜୋରିମାନା ଦେବାକୁ ବାଧ୍ୟ କରିବା ସହ ପ୍ରାୟ ୧ଘଣ୍ଟା ଅଟକ ରଖିଥିଲେ । ଡ୍ରାଇଭରଙ୍କ ଠାରୁ ଖବରପାଇ ଉପଜିଲ୍ଲାପାଳ, ତହସିଲଦାର, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ କମାପଲ୍ଲୀରେ ପହଞ୍ôଚଥିଲେ । ପରେ ଉପଜିଲ୍ଲାପା ଟାଉନ୍ ଏସ୍ଡିପିଓଙ୍କୁ ଘଟଣା ବିଷୟରେ କହିଥିଲେ । ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଡ୍ରାଇଭରଜଣକ ଜୋରିମାନା ଦେବାକୁ ରାଜି ହୋଇଥିଲେ ମଧ୍ୟ ପୋଲିସ ଜୋରିମାନା ନଦେଇ ତାଙ୍କୁ ଛାଡିଥିଲା । ତେବେ ଘଟଣାଟି ବ୍ରହ୍ମପୁର ଏସ୍ପି ଓ ଜିଲ୍ଲାପାଳ, ପୋଲିସ ଡିଆଇଜିଙ୍କ ପାଖରେ ପହଞ୍ôଚଥିଲା । ତେବେ କରୋନା ଭଳି ମହାମାରୀ ପରିସ୍ଥିତିରେ ଅଧିକାରୀଙ୍କ ମଧ୍ୟରେ ଏଭଳି ମନୋଭାବକୁ ନାପସନ୍ଦକରି ନିଜ ନିଜ ଭିତରେ ସମନ୍ୱୟ ରକ୍ଷାକରି କରୋନା ମୁକାବିଲା କରନ୍ତୁ ବୋଲି ନିଜ ନିଜ ବିଭାଗ ଅଧିକାରୀମାନଙ୍କୁ ପ୍ରଶାସନିକ ଓ ପୋଲିସ ମୁଖ୍ୟାମାନେ ଅଲିଖିତ ନିର୍ଦ୍ଦେଶ ଦେଇଥିଲେ । ସେପଟେ ଏହି ଘଟଣାପରେ ପୁଣି ଶନିବାର ସକାଳେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ନାଜିରି ନିଜ ଘରୁ କାର୍ଯ୍ୟାଳୟକୁ ଆସୁଥିବା ବେଳେ ଟାଟାବେଞ୍ଜ ଛକରେ ଗାଡି ଯାଞ୍ଚ କରୁଥିବା ବୈଦ୍ୟନାଥପୁର ପୋଲିସ ପୁଣି ତାଙ୍କୁ ଅଟକାଇ କୁଆଡେ ର୍ଦୁବ୍ୟବହାର କରିଥିବା ନେଇ ସୂଚନା ମିଳିଛି । ତେବେ ଗତରାତି ଓ ଆଜି ସକାଳର ଘଟଣାକୁ ନେଇ ଉଭୟ ଉପଜିଲ୍ଲାପାଳ ଓ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନେ ଶନିବାର ଠାରୁ ଆରମ୍ଭ ହୋଇଥିବା ୨ଦିନିଆ ସଡ୍ ଡାଉନରେ କାର୍ଯ୍ୟରେ ଯୋଗ ଦେଇନାହାଁନ୍ତି କି ପୂର୍ବରୁ ଛକରେ ଜଗି ଅମାନିଆ ଗାଡି ଚାଳକ ଓ ଦୋକାନୀ, ବଜାରରେ ବୁଲି କୋଭିଡ ନିୟମ ମାନୁନଥିବା ଅମାନୀୟଙ୍କ ଠାରୁ ଜୋରିମାନା ଆଦାୟ କରୁ ନାହାଁନ୍ତି । ପୋଲିସର ଏଭଳି କାର୍ଯ୍ୟକୁ ନାପସନ୍ଦକରି ଉପଜିଲ୍ଲାପାଳ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହ ତହସିଲ ଅଫିସ୍ରେ କାର୍ଯ୍ୟରତ ସମସ୍ତ ଅଧିକାରୀ ଓ କର୍ମଚାରୀ ମିଳିତ ଭାବେ ପେନ୍ ଡାଉନ୍ କାର୍ଯ୍ୟ କରିବେ ବୋଲି ଲିଖିତ ଆକାରରେ ଉପଜିଲ୍ଲାପାଳଙ୍କୁ ଦେଇଥିବା ବିଶେଷସୂତ୍ରରୁ ଜଣାପଡିଛି । ତେବେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ବେଳେ ୨ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ମୁହାଁମୁହିଁ ଘଟଣା ସାଧାରଣରେ ନାପସନ୍ଦ କରାଯାଇଛି । ତେଣୁ ତୁରନ୍ତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ଏଥିରେ ହସ୍ତକ୍ଷେପକରି ନିଜ ନିଜ ବିଭାଗର କର୍ମଚାରୀ ଓ ଅଧିକାରୀଙ୍କୁ ସମନ୍ୱୟ ଓ ଶାଳୀନତା ରକ୍ଷାକରି କରୋନା ମୁକାବିଲା କରିବାକୁ ପରାମର୍ଶ ଦେବାସହ ଆପୋଷ ବୁଝାମଣା କରନ୍ତୁ ବୋଲି ବୃଦ୍ଧିଜୀବୀ ଓ ସହରବାସୀଙ୍କ ତରଫରୁ ଅନୁରୋଧ କରାଯାଇଛି ।