ନୂଆଦିଲ୍ଲୀ– ଶୁକ୍ରବାର ଦିଲ୍ଲୀରେ କରୋନା ଭାଇରସ ପୁଣି ନୂଆ ରେକର୍ଡ କରିଛି । ଏଠାରେ ଗୋଟିଏ ଦିନରେ ୩ ହଜାର ୧୩୭ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ସହିତ ଦିଲ୍ଲୀରେ ସଂକ୍ରମିତ ସଂଖ୍ୟା ୫୩ ହଜାର ଅତିକ୍ରମ କରିଛି ।
ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗର ବୁଲେଟିନ ଅନୁସାରେ ଦିଲ୍ଲୀରେ ଶୁକ୍ରବାର ୩ ହଜାର ୧୩୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବିଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ-୧୯ର ୬୬ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ ଦିଲ୍ଲୀରେ ମୃତ୍ୟୁ ସଂଖ୍ୟା ୨୦୩୫କୁ ବୃଦ୍ଧି ପାଇଛି । ଦିଲ୍ଲୀରେ ରୋଗୀ ସୁସ୍ଥ ହେବା ହାରରେ ସଂଶୋଧନ ଆସିଛି । ଜୁନ ୧୮ରେ ଏହି ହାର ୪୨.୬୯ ଥିଲା । ଏହା ପୂର୍ବରୁ ୧୩ ଦିନ ପର୍ଯ୍ୟନ୍ତ ୪୦ ପ୍ରତିଶତ ତଳକୁ ରହୁଥିଲା ।
ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଦେଶରେ ଗୋଟିଏ ଦିନରେ ସର୍ବାଧିକ ୧୩ ହଜାର ୫୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରେ ୩୩୬ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ଦେଶରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୩ ଲକ୍ଷ ୮୦ ହଜାର ୫୩୨ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୨ ହଜାର ୫୭୩ରେ ପହଞ୍ଚିଛି ।