କେନ୍ଦ୍ରାପଡା – ପୁରସ୍କାର ପାଇବା ଲୋଭରେ ଜଣେ ଶିକ୍ଷକ ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢୁନଥିବା ପିଲା ଦର୍ଶାଇ ନିଜ ଝିଅ ନାମରେ ଶାନ୍ତି ପୁରସ୍କାର ପାଇଁ ସୁପାରିଶ କରିବା ଘଟଣାକୁ ବିରୋଧ କରାଯାଇଛି । ପ୍ରଧାନ ଶିକ୍ଷକଙ୍କ ଏହିଭଳି ମନମୁଖୀ କାର୍ଯ୍ୟ ବିରୋଧରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବୁଧବାର ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ।
ଅଭିଯୋଗ ମୁତାବକ, ରାଜନଗରର ପେଣ୍ଠ ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରଂଚି ନାରାୟଣ ତ୍ରିପାଠୀଙ୍କ ଝିଅ ଶୁଭସ୍ମିତା ତ୍ରିପାଠୀ, ମିର୍ଜା କ୍ଲବରେ ଶାନ୍ତି ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ଏହାକୁ ନେଇ ବିବାଦ ଦେଖାଦେଇଛି । ଗ୍ରାମବାସୀମାନଙ୍କ ଅଭିଯୋଗ ମୁତାବକ ଆମ ପିଲା ଦୈନିକ ବିଦ୍ୟାଳୟକୁ ପାଠ ପଢିବାକୁ ଯାଆନ୍ତି । ପ୍ରଧାନ ଶିକ୍ଷକ ଆମ ପିଲାଙ୍କୁ ଧମକ ଦେଇ ଜଣେ ଗ୍ରାମବାସୀଙ୍କ ଘରକୁ ପଠାଇ ଲୁଚିବାକୁ କହିଲେ । ପିଲାମାନେ ଲୁଚିବା ପରେ ପ୍ରଧାନ ଶିକ୍ଷକଙ୍କ ଝିଅ ସେହି ପିଲାମାନଙ୍କୁ ଡାକି ହାତଧରି ଗଣମାଧ୍ୟମ ଆଗକୁ ଆଣି ବିବୃତି ଦେଇଥିଲେ । ପ୍ରଧାନ ଶିକ୍ଷକଙ୍କ ଝିଅର କହିବା ଅନୁଯାୟୀ ଏହି ପିଲାମାନେ ସ୍କୁଲକୁ ଆସନ୍ତି ନାହିଁ ଗାଈ ଓ ଛେଳି ଚରାନ୍ତି ମାଛ ଧରନ୍ତି ମୁଁ ଏମାନଙ୍କୁ ଦୁଇ ତିନି ବର୍ଷ ହେଲା ଦୈନିକ ବିଦ୍ୟାଳୟକୁ ଆଣି ପାଠ ପଢାରେ ନିଯୁକ୍ତ କରିଛି । ଫଳରେ ପ୍ରଧାନ ଶିକ୍ଷକଙ୍କ ଝିଅ ସାମାଜିକ ପରିବର୍ତନ ପାଇଁ କାମ କରୁଥିବା ଯୋଗୁ ମିର୍ଜା କ୍ଲବରେ ଶାନ୍ତି ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ଏହା ସଂପୂର୍ଣ୍ଣ ମିଥ୍ୟା ଓ ଉଦ୍ଦେଶ୍ୟ ମୂଳକ । ଆମ ପିଲା ଦୈନନ୍ଦିନ ସ୍କୁଲକୁ ଯାଆନ୍ତି, ପ୍ରଧାନ ଶିକ୍ଷକଙ୍କ ଘର ସ୍କୁଲଠାରୁ ୫ କିଲୋମିଟର ଦୂରରେ । ତାଙ୍କ ଝିଅ ଶୁଭସ୍ମିତା ଦୈନିକ ବାପାଙ୍କ ସହ ମୋଟର ସାଇକେଲରେ ସ୍କୁଲକୁ ଆସନ୍ତି ଓ ଯାଆନ୍ତି । କେବଳ ପୁରସ୍କାର ପାଇବା ଲୋଭରେ ପ୍ରଧାନ ଶିକ୍ଷକ ତ୍ରିପାଠୀ ଏଭଳି ମିଥ୍ୟା ଓ ଚଂଚକତାର ଆଶ୍ରୟ ନେଇଛନ୍ତି ।
ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଅଭୟ ଦାସ, ରଞ୍ଜନ କୁମାର ରାଉତ, ଲକ୍ଷ୍ମଣ ମଣ୍ଡଳ, ଭୋଳା ଗାୟନ୍, ନିରଞ୍ଜନ ବଦ୍ୟ, ଭରତ ମଣ୍ଡଳ, ନମିତା ମଣ୍ଡଳ, ସୁମିତ୍ରା ବୈଦ୍ୟ, ପୁଷ୍ପଲତା ସାହୁ, ନୟନା ସାହୁ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ।