ଭୁବନେଶ୍ୱର – ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଂଚଳରେ ଶନିବାର ଆଉ ୧୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୧୫ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ୪ ଜଣ ଗୃହ ସଙ୍ଗରୋଧରେ ଥିଲେ । ଏମାନଙ୍କର କଂଟାକ୍ଟ ଟ୍ରେସିଂ ଚାଲିଛି ।ଏନେଇ ବିଏମସି ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରେ ୫ ଜଣ ଡୁମଡୁମା ସୁବାସ ନଗର ବସ୍ତି ଅଂଚଳର । ଏହାପରେ ସମ୍ପୃକ୍ତ ଅଂଚଳକୁ କେଂଟନମେଂଟ ଜୋନ୍ ଘୋଷଣା କରାଯାଇଛି ।
ସୂଚନା ଅନୁଯାୟୀ ଶନିବାର ଚାରିଜଣ ରେଳବାଇ କର୍ମଚାରୀ କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ଏମାନେ ସମସ୍ତେ ଦିଲ୍ଲୀ ଫେରନ୍ତା ଏବଂ ହୋମ୍ କ୍ୱାରେଂଟାଇନ୍ ରେ ଥିଲେ ।
ଏହା ବ୍ୟତୀତ ଏକ ଘରୋଇ ହସ୍ପିଟାଲର ୩ ମହିଳା ଓ ୩ ପୁରୁଷ କର୍ମଚାରୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ମହିଳା କର୍ମଚାରୀମାନଙ୍କ ବୟସ ଯଥାକ୍ରମେ ୨୭, ୨୪ ଓ ୨୧ ହୋଇଥିବା ବେଳେ ପୁରୁଷ କମଚାରୀମାନଙ୍କ ବୟସ ୨୯,୨୧ ଓ ୩୩ । ସେହିପରି ଅନ୍ୟ ଏକ ଘରୋଇ ହସ୍ପିଟାଲର ମଧ୍ୟ ୨ କର୍ମଚାରୀ ଥିବା ଜଣାଯାଇଛି । ସେମାନଙ୍କ ମଧ୍ୟରେ ଜଣେ ୪୫ ବଷୀୟା ମହିଳା ଏବଂ ୨୭ ବର୍ଷୀୟ ପୁରୁଷ ରହିଛନ୍ତି । ଏହାଛଡ଼ା ଭୁବନେଶ୍ୱରର ସରକାରୀ ଡାକ୍ତରଖାନାର ଜଣେ ୫୧ ବର୍ଷିୟ ପୁରୁଷ କର୍ମଚାରୀ ମଧ୍ୟରେ କରୋନା ସଂକ୍ରମିତ ହୋଇଛନ୍ତି । ସେହିପରି ଲକ୍ଷ୍ମୀବଜାର ବସ୍ତିର ଜଣେ ୯ ବର୍ଷର ବାଳକ ବି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ ଅଲଗା ଜିଲ୍ଲାରୁ ଗତ ୧୧ ତାରିଖରେ ଭୁବନେଶ୍ୱର ଆସିଥିଲେ ।
ଅପରପକ୍ଷରେ ଡୁମଡୁମା ସୁବାସ ନଗର ବସ୍ତିରୁ ୨୪, ୧୯, ୩୮, ୧୮ ଓ ୧୫ ବର୍ଷିୟ ୫ଜଣ ପୁରୁଷ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପରେ ଡୁମଡୁମା ସୁବାସ ନଗର ବସ୍ତିକୁ କେଂଟନମେଂଟ ଜୋନ୍ ଘୋଷଣା କରାଯାଇଛି ।
ଏହା ବ୍ୟତୀତ ଶନିବାର ଭୁବନେଶ୍ୱରର ୩ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥଙ୍କ ମଧ୍ୟରେ ଭୁବନେଶ୍ୱର ଶ୍ରୀ ବିହାର ଅଂଚଳର ଗୋଟିଏ ପରିବାର ୨ ଜଣ (୩୪ ବର୍ଷୀୟ ପୁରୁଷ , ୨୬ ବର୍ଷୀୟା ମହିଳା) ଏବଂ ପୋଖରିପୁଟ ଡିଏଭି ସ୍କୁଲ ନିକଟରରୁ ୩୫ ବର୍ଷୀୟ ପୁରୁଷ ରହିଛନ୍ତିି ।
ବର୍ତମାନ ସୁଦ୍ଧା ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୪ ରେ ପହଂଚିଛି । ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୯୪ ରହିଛି । ତେବେ ୮୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅପରପକ୍ଷରେ ୩ଜଣଙ୍କର ମୃତ୍ୟୁ ଘଟିଛି ।