ନୂଆଦିଲ୍ଲୀ– ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ସୋମବାର ଗଲୱାନ ଘାଟିରେ ହୋଇଥିବା ସଂଘର୍ଷରେ ୨୦ ଜଣ ଯବାନ ସହିଦ ହେବା ଓ ଏହାକୁ ନେଇ ଉତ୍ତେଜନାପୂର୍ଣ ପରିସ୍ଥିତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି । ଏହି ବୈଠକରେ ରାଜନୈତିକ ଦଳର ଅଧ୍ୟକ୍ଷମାନେ ଯୋଗଦେବେ ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଭାରତ ଓ ଚୀନ ସୀମାର ଲଦ୍ଦାଖରେ ଦେଖାଯାଇଥିବା ବିବାଦ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ଏହି ବୈଠକ ଆଜି ସନ୍ଧ୍ୟା ୫ଟାରେ ଭର୍ଚ୍ୟୁଆଲ ଜରିଆରେ ହେବ । ବୈଠକରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ଏନସିପି ପ୍ରମୁଖ ଶରଦ ପାୱାର, ଡିଏମକେର ଏମକେ ଷ୍ଟାଲିନ, ଏନ ଚନ୍ଦ୍ରବାବୁ ନାଇଡୁ, ଜଗନମୋହନ ରେଡ୍ଡୀ, ନୀତିଶ କୁମାର, ଡି ରାଜା, ସୀତାରାମ ୟେଚୁରୀ, ମମତା ବାନାର୍ଜୀ, ସୁଖବୀର ବାଦଲ, ଚିରାଗ ପାସୱାନ, ଉଦ୍ଧବ ଠାକରେ, ଅଖିଳେଶ ଯାଦବ, ହେବନ୍ତ ସୋରେନ ପ୍ରମୁଖ ଯୋଗଦେବେ ।