ନୂଆଦିଲ୍ଲୀ- ଭାରତ-ଚୀନ ସୀମା ଗଲଭାନରେ ଉଭୟ ଦେଶର ସୈନିକଙ୍କ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ 20 ଜଣ ଭାରତୀୟ ଯବାନ ସହିଦ ହେବା ପରେ ସମଗ୍ର ଦେଶରେ ବର୍ତ୍ତମାନ ଏହି ଘଟଣାକୁ ନେଇ ଚାଇନା ଜିନିଷ ବର୍ଜନ କରିବାକୁ ଦେଶବ୍ୟାପୀ ଲୋକମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ଭାରତୀୟ ଅଲମ୍ପିକ ଆସୋସିଏସନ ଆଗାମୀ ଟୋକିଓ ଅଲମ୍ପିକ ନିମନ୍ତେ କୌଣସି ଚାଇନିଜ ସାମଗ୍ରୀ କିମ୍ବା ସ୍ପନସର ବ୍ୟବହାର କରିବ ନାହିଁ ବୋଲି ସୂଚନା ଦେଇଛନ୍ତି । ଆଗାମୀ ଅଲମ୍ପିକରେ ଭାଗ ନେଉଥିବା କୌଣସି ଖେଳାଳି ଚୀନ ଜିନିଷ ବ୍ୟବହାର କିମ୍ବା ଚୀନର କୌଣସି କମ୍ପାନୀ ସ୍ପନସର ରଖିବନି ବୋଲି ଭାରତୀୟ ଅଲମ୍ପିକ ଆସୋସିଏଶନର ସାଧାରଣ ସମ୍ପାଦକ ରାଜୀବ ମେହେଟା ସୂଚନା ଦେଇଛନ୍ତି । ଏହାଦ୍ୱାରା ପୂର୍ବରୁ ଚୁକ୍ତି ହୋଇଥିବା ଚାଇନିଜ କମ୍ପାନୀ ଲି-ନିଙ୍ଗ ଚୁକ୍ତିରୁ ବାଦ ପଡିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି ।
ତେବେ କିଛି ଖେଳାଳି ପୂର୍ବରୁ ମଧ୍ୟ ଚାଇନିଜ କମ୍ପାନୀକୁ ବାସନ୍ଦ କରିବା ନେଇ ଦାବି କରିଛନ୍ତି । ହେଲେ ବର୍ତ୍ତମାନ ଭାରତୀୟ ଅଲମ୍ପିକ ଆସୋସିଏଶନ ଏହା ଉପରେ ଦୃଢ ପଦକ୍ଷେପ ନେଇଥିବା ଆଲୋଚନା ହେଉଛି ।