-
ସର୍ବଧର୍ମ ସମନ୍ୱୟର ଉପସ୍ଥିତି ଦେଖିବାକୁ ମିଳିଲା
ବ୍ରହ୍ମପୁର : ଓଡ଼ିଶାରେ ବର୍ତ୍ତମାନ ଦୀର୍ଘ ଦିନ ଧରି ଲକ୍ଡ଼ାଉନ ଘୋଷଣା ହେବା ପରେ ରକ୍ତଭଣ୍ଡାରରେ ରକ୍ତର ଅଭାବ ଦେଖାଦେଇଥିଲା । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ପୁଲିସ ପକ୍ଷରୁ ବିଭିନ୍ନ ଥାନା ପକ୍ଷରୁ ଆୟୋଜନ କରାଯାଉଛି । ସୋରଡ଼ାରେ ମଧ୍ୟ ଏନେଇ ଏକ ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଏହି ରକ୍ତଦାନ ଶିବିରରେ ସର୍ବଧର୍ମ ସମନ୍ୱୟ ଦେଖିବାକୁ ମିଳିଥିଲା । ଏପରିକି ପୂଜା ସ୍ଥାନରେ ସବକା ମାଲିକ ଏକ ହେର ଏକ ଫ୍ଲେକ୍ସ ଟଙ୍ଗା ହୋଇଥିଲା ଯାହା ସମସ୍ତଙ୍କୁ ବେସ୍ ଆକର୍ଷିତ କରିଥିଲା । ଏହି ରକ୍ତଦାନ ଶିବିରରେ ଶତାଧିକ ଲୋକ ରକ୍ତଦାନ ପାଇଁ ଧାଡ଼ି ବାନ୍ଧିଥିଲେ । ପୂର୍ବାହ୍ନ ୮ ଘଣ୍ଟା ୪୫ ମିନଟରେ ଏହି ରକ୍ତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ ଘଣ୍ଟା ୪୫ ମିନଟ ଯାଏଁ ଚାଲୁ ରହିଥିଲା । ଶିବିରରେ ୩୫୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ଗଞ୍ଜାମ ଜିଲ୍ଲାରେ ରେକର୍ଡ଼ କରିଛି ସୋରଡ଼ା ପୁଲିସ । ପ୍ରଥମ ଥର ପାଇଁ ଏହି ଶିବିରର ସମସ୍ତ ରକ୍ତଦାତାଙ୍କୁ ନିଉଇଣ୍ଡିଆ ଇନ୍ସୋରେନ୍ସ ତରଫରୁ ଏକ ଲକ୍ଷ ଟଙ୍କାର ଏକବର୍ଷ ଅବଧିର ଦୁର୍ଘଟଣା ଜନିତ ବୀମା ପ୍ରଦାନ କରାଯାଇଥିଲା । ସବୁ ଧର୍ମର ଲୋକ ଏକାଠି ହୋଇ ଏଠାରେ ରକ୍ତଦାନ କରିଥିବା ଦେଖିବାକୁ ମିଳିଥିଲା । ଗଞ୍ଜାମ ଜିଲ୍ଲାର ଉଚ୍ଚ ଅଧିକାରୀମାନେ ଏଠାରେ ଉପସ୍ଥିତ ଥିଲେ । ସୋରଡ଼ା ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଶିବିରକୁ ଆସିକା ସାଂସଦ ପ୍ରମିଳା ବିଷୋୟୀ ଉଦ୍ଘାଟନ କରିଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ , ଏସ୍ପି ବ୍ରିଜେଶ କୁମାର ରାୟ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଆସିକା ଏସ୍ଡ଼ିପିଓ ସୂର୍ଯ୍ୟମଣି ପ୍ରଧାନ, ଥାନା ଅଧିକାରୀ ପ୍ରଭାତ ସାହୁ, ପ୍ରତାପ ଚନ୍ଦ୍ର ତ୍ରିପାଠୀଙ୍କ ସମେତ ସୋରଡ଼ା ତହସିଲଦାର ରବୀନ୍ଦ୍ର ମିଶ୍ର, ମେଡ଼ିକାଲ ଅଫିସର ଡ଼ାକ୍ତର ସନ୍ତୋଷ ପଣ୍ଡା, ଡ଼ାକ୍ତର ଦିଲୀପ ନାୟକ, ସମାଳିନୀ ମିଶ୍ର, ଅଜିତ ପାଣିଗ୍ରାହୀ, ସୋରଡ଼ା ବନାଞ୍ଚଳ ଅଧିକାରୀ ଲମ୍ବୋଦର ବାସ୍କେ ସମେତ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଆମ ପୁଲିସ ସମେତ ଋଷିକୁଲ୍ୟା କ୍ରିକେଟ କ୍ଳବ, ସତ୍ୟସାଇ ସେବା ଗ୍ରୁପ ଓ ଅନୟାନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶିବିର ପରିଚାଳନା କରିଥିଲେ । ଭଞ୍ଜନଗର ରକ୍ତଭଣ୍ଡାରର ୧୦ଜଣ କର୍ମଚାରୀ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ । ଥାନା ଅଧିକାରୀ ରମେଶ ପ୍ରଧାନ ରକ୍ତଦାନ ଶିବିରକୁ ରକ୍ତଦେବା ସହ ସୁରୁଖୁରୁରେ ସମ୍ପାଦନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।