– ଚଳିତ ଖରିଫ୍ ଋତୁରେ ୬୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ
– ୨୪ରୁ ୪୮ ଘଂଟା ମଧ୍ୟରେ ଚାଷୀ ପାଇବେ ଧାନ ବିକ୍ରି ଟଙ୍କା
ଭୁବନେଶ୍ୱର – ରାଜ୍ୟରେ ଧାନ ଓ ଚାଉଳ ସଂଗ୍ରହ ପକ୍ରିୟାର ସୁପରିଚାଳନା ପାଇଁ ଖାଦ୍ୟ ଓ ସଂଗ୍ରହଣ ନୀତି ୨୦୧୯-୨୦କୁ ରାଜ୍ୟ କ୍ୟାବିନେଟ୍ ମଂଜୁରୀ ପ୍ରଦାନ କରିଛି ।
ଗୁରୁବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ଅନୁÂିତ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ସମ୍ପର୍କରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସୀତ୍ ତ୍ରିପାଠୀ ସୂଚନା ଦେଇଥିଲେ । ଅନୁମୋଦିତ ଖାଦ୍ୟ ଓ ସଂଗ୍ରହଣ ନୀତି ଅନୁଯାୟୀ ଚଳିତ ଖରିଫ ଋତୁରେ ୬୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯିବ ଯାହାକି ୪୧ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଆକାରରେ ସଂଗ୍ରହ ହେବ । ଖରିଫ ଓ ରବି ଋତୁରେ ଧାନ ସଂଗ୍ରହର ଧାର୍ଯ୍ୟ ଲକ୍ଷ୍ୟ ଯଥାକ୍ରମେ ୫୦ ଲକ୍ଷ ଓ ୧୦ ଲକ୍ଷ ମେଟ୍ରିକ୍ ଟନ୍ ରହିବ । ଏହାଠାରୁ ଅଧିକ ଧାନ ଯଦି ପଂଜୀକୃତ ଚାଷୀଙ୍କ ଠାରୁ ମଣ୍ଡିକୁ ଆସିବ ତାହାକୁ ସରକାର କ୍ରୟ କରିବେ । ଆବଶ୍ୟକ ହେଲେ ବିଭାଗୀୟ ମନ୍ତ୍ରୀ ଏହି ଧାର୍ଯ୍ୟ ଲକ୍ଷ୍ୟ ବୃଦ୍ଧି କରିପାରିବେ ।
ଏକ ପ୍ରଶ୍ନର ଉତର ଦେଇ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ୨୦୧୮-୧୯ ବର୍ଷରେ ଉଭୟ ଖରିଫ ଓ ରବି ଋତୁରେ ୬୫ ଲକ୍ଷ ୪୯ ହଜାର ମେଟ୍ରିକ ଟନ୍ ଧାନ କ୍ରୟ କରାଯାଇଥଇଲା । ଚାଉଳ ହିସାବରେ ଏହା ୪୪.୪୨ ଲକ୍ଷ ମେଟ୍ରିକ୍ ଟନ୍ ହୋଇଥିଲା । ଉକ୍ତ ବର୍ଷରେ ଖରିଫ୍ ଧାନ ସଂଗ୍ରହ ପାଇଁ ସର୍ବୋଚ୍ଚ ସମୟ ସୀମା ଅପ୍ରେଲ ଶେଷ ପର୍ଯ୍ୟନ୍ତ ଥିଲା । ଚଳିତ ଖରିଫ ବର୍ଷ ଧାନ ନଭେମ୍ବର ୨୦୧୯ରୁ ମାର୍ଚ୍ଚ ୨୦୨୦ ମଧ୍ୟରେ ସଂଗ୍ରହ କରାଯିବ । ରବି ଧାନ ମଇ ରୁ ଜୁନ୍ ୨୦୨୦ ମଧ୍ୟରେ ସଂଗ୍ରହ କରାଯିବ । ଏହି ବିସ୍ତାରିତ ସମୟ ସୀମା ମଧ୍ୟରେ ଜିଲ୍ଲାମାନେ ଧାନ ସଂଗ୍ରହର ଅବଧି ନିର୍ଣ୍ଣୟ କରିବେ ।
ସେ ଆହୁରି କହିଥିଲେ ଯେ କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରଣ ଅନୁସାରେ ସାଧାରଣ ଧାନ ଓ ଗ୍ରେଡ୍ ଏ ଧାନ ପାଇଁ କ୍ୱିଂଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୧୮୧୫ ଟଙ୍କା ୧୮୩୫ ଟଙ୍କା ହାରରେ ଚାଷୀମାନଙ୍କୁ ପ୍ରଦାନ କରାଯିବ । ଧାନ ସଂଗ୍ରହ କ୍ଷେତ୍ରରେ ମହିଳା ସ୍ୱଂୟ ସହାୟକ ଗୋÂୀ ମାନଙ୍କୁ ଅଧିକ ସଂଖ୍ୟାରେ ନିୟୋଜିତ କରାଯିବ । ଧାନ ବିକ୍ରି ବାବଦ ପ୍ରାପ୍ୟ ତାଙ୍କ ବ୍ୟାଙ୍କ୍ ଖାତାକୁ ଅନଲାଇନ୍ ରେ ସିଧାସଳଖ ପ୍ରେରଣ କରାଯିବ । ଧାନ ବିକ୍ରି ର ୭୨ ଘଂଟା ପରିବର୍ତେ ୨୪ ରୁ ୪୮ ଘଂଟା ମଧ୍ୟରେ ସମାପନ କରାଯିବ । ଯଦି କୌଣସି ମିଲର ଦେୟ ବକେୟା ରଖିଛନ୍ତି ତାଙ୍କୁ ଧାନ ସଂଗ୍ରହ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ଦିଆଯିବ ନାହିଁ । ଏହି ସଂଗ୍ରହ କାର୍ଯ୍ୟ ଓଡିଶା ଯୋଗାଣ ନିଗମ ଓ ଅନ୍ୟ ଧାନ ସଂଗ୍ରହକାରୀ ସଂସ୍ଥା ,ପ୍ୟାକସ୍ , ଲାମ୍ପସ୍ , ପାଣି ପଂଚାୟତ ମାଧ୍ୟମରେ କରାଯିବ । କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ ଅନୁଯାୟୀ ଚାଷୀମାନେ ଏଫଏକ୍ୟୁ ମାନର ଧାନ ଆଣିବେ । ଏଫଏକ୍ୟୁ ମାନ ସହାୟକ ଦର ଠାରୁ କମ୍ରେ ବିକ୍ରି କଲେ ଇସିଏ ୧୯୫୫ ଅନୁସାର ଦଣ୍ଡ ବିଧାନ କରାଯିବ । ଯୋଗାଣ ନିଗମ ସମସ୍ତ ଜିଲ୍ଲାରେ ଧାନ ସଂଗ୍ରହ କରିବେ । ଆବଶ୍ୟକ ପଡିଲେ ଅନ୍ୟ ସଂଗ୍ରହକାରୀ ସଂସ୍ଥା ମାନଙ୍କୁ ଚାଉଳ ବଳକା ଜିଲ୍ଲା ମାନଙ୍କରେ ନିୟୋଜିତ କରାଯିବ ।
ଶ୍ରୀ ତ୍ରିପାଠୀ ଆହୁରି କହିଥିଲେ ଯେ ରାଜ୍ୟରେ ସାଧାରଣ ବଂଟନ ବ୍ୟବସ୍ଥାରେ ବିତରଣ ପାଇଁ ୨୪ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଆବଶ୍ୟକ । ବଳକା ଚାଉଳ ଏଫସିଆଇ ମାଧ୍ୟମରେ କେନ୍ଦ୍ରୀୟ ଭଣ୍ଡାରକୁ ପ୍ରଦାନ କରାଯିବ । ରାଜ୍ୟ ସମସ୍ତ ୩୧୦ଟି ଧାନ ସଂଗ୍ରହକାରୀ ବ୍ଲକ୍ ରେ ସଂଗ୍ରହ ପ୍ରକ୍ରିୟା ପି ପାସ୍ ମାଧ୍ୟମରେ ପରିଚାଳିତ ହେବ । ୪ଟି ବ୍ଲକ୍ ରେ ବିକ୍ରି ଯୋଗ୍ୟ ବଳକା ଧାନ ନଥିବାରୁ ସଂଗ୍ରହ ପ୍ରକ୍ରିୟା ହେଉନାହିଁ ବୋଲି ସେ କହିଛନ୍ତି ।