ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରର ପୁଲୱାମା ଜିଲ୍ଲାର ଅବନ୍ତିପୋରାର ପମ୍ପୋର ନିକଟରେ ବୁଧବାର ବିଳମ୍ବିତ ରାତି ସୁରକ୍ଷାବାହିନୀର ଯବାନମାନେ ଆତଙ୍କବାଦୀଙ୍କ ବିରୋଧରେ ଏନକାଉଣ୍ଟର କରିଛନ୍ତି । ଏହି ଏନକାଉଣ୍ଟରରେ ଜମ୍ମୁ କଶ୍ମୀର ପୋଲିସ ଓ ସୁରକ୍ଷାବାହିନୀ ଯୋଡ଼ି ହୋଇଛନ୍ତି । କଶ୍ମୀର ପୋଲିସ ଜୋନର ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ତେବେ ଅପରେଶନ ନେଇ ଅଧିକ ତଥ୍ୟ ଆସିପାରି ନାହିଁ । ସୁରକ୍ଷା ବାହିନୀର ଯବାନମାନେ ଆତଙ୍କବାଦୀଙ୍କୁ ଟାର୍ଗେଟ କରି ଅପରେଶନ ଜାରି ରଖିଛନ୍ତି ।
ଅବନ୍ତିପୋରାର ପମ୍ପୋର ନିକଟ ମିଜରେ ବୁଧବାର ରାତି ଏହି ଏନକାଉଣ୍ଟର ହୋଇଛି । କଶ୍ମୀର ଜୋନର ଜଣେ ପୋଲିସ କହିଛନ୍ତି, ପୋଲିସ ଓ ସୁରକ୍ଷା ବାହିନୀର ଯବାନମାନେ ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେଇଛନ୍ତି । ରିପୋର୍ଟ ଅନୁସାରେ ଯବାନଙ୍କୁ ଦେଖିବା ପରେ ଆତଙ୍କବାଦୀମାନେ ବ୍ୟସ୍ତ ହୋଇପଡ଼ିଥିଲେ । ସେମାନେ ସୁରକ୍ଷା ବାହିନୀର ଉପରକୁ ଗୁଳି ଚଳାଇଥିଲେ । ଏହାର ଜବାବ ଦେଇଥିଲେ ସୁରକ୍ଷା ବାହିନୀ ଓ ପୋଲିସ । ତେବେ ଏନକାଉଣ୍ଟର ଜାରି ଥିବା ବେଳେ ଅଧିକ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଏହି ଅଂଚଳରେ କେତେ ଜଣ ଆତଙ୍କବାଦୀ ଲୁଚି ରହିଛନ୍ତି, ତାହା ଜଣାପଡ଼ିନାହିଁ ।