ନୂଆଦିଲ୍ଲୀ– ପୂର୍ବ ଲଦ୍ଦାଖର ଗଲୱାନ ଘାଟିରେ ସହିଦ ୨ ଓଡ଼ିଆ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନଙ୍କ ପାର୍ଥିବ ଶରୀର ଆଜି ଜନ୍ମମାଟିରେ ପହଞ୍ଚିବ । ଭାରତ ଓ ଚୀନ ମଧ୍ୟରେ ସୋମବାର ରାତି ହୋଇଥିବା ସଂଘର୍ଷରେ ଯେଉଁ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ ଏଥିରେ ଓଡ଼ିଶାର ଏହି ୨ ବୀର ପୁତ୍ର ମଧ୍ୟ ଥିଲେ । କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଳକର ବିଅରପାଙ୍ଗା ଗାଁରେ ଜନ୍ମ ହୋଇଥିବା ଚନ୍ଦ୍ରକାନ୍ତ ୬ ବର୍ଷ ତଳେ ଓ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଅନ୍ତର୍ଗତ ବଡ଼ଚମ୍ପାଉଦା ଗାଁର ନନ୍ଦୁରାମ ସୋରେନ ୨୩ ବର୍ଷ ପୂର୍ବରୁ ସେନାରେ ଯୋଗଦେଇଥିଲେ ।
ଦୁଇ ଓଡ଼ିଆ ଯବାନ ସହିଦ ହେବା ପରେ ଏବେ ବଡ଼ଚମ୍ପାଉଦା ଓ ବିଅରପାଙ୍ଗାର ଲୋକେ ଝୁରୁଛନ୍ତି । ଗାଁଲୋକେ ୨ ଯବାନଙ୍କ ପାର୍ଥିବ ଶରୀରକୁ ଅପେକ୍ଷା କରିଛନ୍ତି । ସେହିଭଳି ଆତ୍ମୀୟସ୍ୱଜନ, ସଂପର୍କୀୟ, ସ୍ଥାନୀୟ ନେତା, ଅଂଚଳବାସୀ ସହିଦ ଯବାନଙ୍କ ପାର୍ଥିବ ଶରୀର ପହଂଚିବା ବାଟକୁ ଜଗିଛନ୍ତି । ଉଭୟଙ୍କ ମରଶରୀର ଗାଁରେ ପହଞ୍ଚିବା ପରେ ଶ୍ରଦ୍ଧାଞ୍ଜଳି ଦିଆଯିବ । ଏହା ପରେ ଗାଁ ମଶାଣୀରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ କରାଯିବ । ଏଥିପାଇଁ ବଡ଼ଚମ୍ପାଉଦା ଓ ବିଅରପାଙ୍ଗାରରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।