ନୂଆଦିଲ୍ଲୀ– ଲଦାଖରେ ଭାରତ-ଚୀନ୍ ସେନା ମଧ୍ୟରେ ହୋଇଥିବା ହିଂସାକାଣ୍ଡ ପରେ ଭାରତୀୟ ନୌସେନା, ସ୍ଥଳ ସେନା ଏବଂ ବାୟୁସେନା ସମ୍ପୂର୍ଣ୍ଣ ଭାବରେ ସତର୍କ ରହିଛି । ତିନି ସେନାକୁ ଆର୍ଲଟରେ ରଖିବାକୁ ନିଷ୍ପତ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସେନା ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍) ଜେନେରାଲ୍ ବିପିନ ରାୱତ ଏବଂ ତିନି ବାହିନୀର ମୁଖ୍ୟଙ୍କ ମଧ୍ୟରେ ହୋଇଥିବା ବୈଠକରେ ନିଆଯାଇଛି।
3500 କିଲୋମିଟର ବ୍ୟାପୀ ଚୀନ୍ ସୀମାକୁ ଭାରତୀୟ ସେନା ତୀକ୍ଷ୍ଣ ନଜର ରଖିଛି। ଏହି ତିନି ବାହିନୀକୁ ହାଇଆର୍ଲଟରେ ରଖାଯାଇଛି । ଚୀନ୍ ନୌ ସେନାକୁ ଦୃଢ ଜବାବ ଦେବାପାଇଁ ପାଇଁ ଭାରତୀୟ ନୌ ସେନା ମଧ୍ୟ ଭାରତ ମହାସାଗରରେ ଏହାର ନିୟୋଜନ ବୃଦ୍ଧି କରୁଛି।
ଏହା ସହ ସେନା ଅରୁଣାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ ଏବଂ ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ ସହିତ ଏହାର ସମସ୍ତ ପ୍ରମୁଖ ଫ୍ରଣ୍ଟ୍ ଲାଇନ୍ ବେସକୁ ଅତିରିକ୍ତ ସୈନ୍ୟ ପଠାଇ ସାରିଛି । ବାୟୁସେନା ଏହାର ସମସ୍ତ ଫରୱାର୍ଡ ଲାଇନ୍ ବେସରେ ଏବଂ ସୀମାନ୍ତ ଅଞ୍ଚଳ ଉପରେ ନଜର ରଖିବା ପାଇଁ ଆଲର୍ଟ ସ୍ତରକୁ ବୃଦ୍ଧି କରିସାରିଛି |
ସୂଚନାଯୋଗ୍ୟ, ସୋମବାର ରାତିରେ ଗାଲଭାନ୍ ଭ୍ୟାଲିରେ ଭାରତୀୟ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଭାରତୀୟ ସୈନିକମାନଙ୍କର ଏକ ଦଳ ଚୀନ୍ ସୈନିକମାନଙ୍କ ସହ ଆଲୋଚନା କରିବାକୁ ଯାଇଥିଲେ, କିନ୍ତୁ ଚୀନ୍ ସୈନିକମାନେ ହଠାତ ଆକ୍ରମଣ କରିଥିଲେ । ଏହି ସଂଘର୍ଷରେ ଭାରତୀୟ ସେନାର 20 ସୈନିକ ଶହୀଦ ହୋଇଥିବାବେଳେ ଚୀନ୍ ସେନାର 35 ରୁ 40 ସୈନିକଙ୍କୁ ନିହତ କରାଯାଇଛି ।
ଏକ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ ଚୀନ୍ ଏହି ଆକ୍ରମଣ କରିବା ନେଇ ପୂର୍ବରୁ ଯୋଜନା କରିସାରିଥିଲା । ଯେଉଁଠାରେ ସେମାନେ ପଥର, ଲୁହା ରଡ ଏବଂ କଣ୍ଟାଯୁକ୍ତ ଅସ୍ତ୍ରଶସ୍ତ୍ର ଧରି ଆକ୍ରମଣ କରିଥିଲେ। କେବଳ ଏତିକି ନୁହେଁ ଭାରତୀୟ ସେନାର ପ୍ରତିଆକ୍ରମଣରୁ ବର୍ତ୍ତିବା ପାଇଁ ମଧ୍ୟ ଚୀନ ସେନା ସମସ୍ତ ପ୍ରସ୍ତୁତି କରିଥିଲା ।
ଡ୍ରୋନ୍ ସହିତ ଭାରତୀୟ ସେନାର କାର୍ଯ୍ୟକଳାପ ଉପରେ ଚୀନ୍ ସେନା ନଜର ରଖିଥିଲା, କିନ୍ତୁ ଭାରତର ସେନା ଯବାନଙ୍କ ସହିତ ସଂଘର୍ଷ କରିବା ମହଙ୍ଗା ପଡିଥିଲା । ଏହି ରକ୍ତାକ୍ତ ସଂଘର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ୍କୁ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସୀମାରେ କୌଣସି ପ୍ରକାର ଦୋଷ କ୍ଷମା କରାଯିବ ନାହିଁ । ସୀମାରେ ଚୀନ୍ର ଷଡଯନ୍ତ୍ର ଏବେ ତାକୁ ମହଙ୍ଗା ହେବାକୁ ଯାଉଛି।
ଏହା ମଧ୍ୟରେ ଗାଲଭାନ ଉପତ୍ୟକା ଉପରେ ଉତ୍ତେଜନାକୁ ନେଇ ଦିଲ୍ଲୀରେ ଘନ ଘନ ବୈଠକ ଚାଲିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବୁଧବାର ରାତିରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ, ଯେଉଁଠାରେ ଲଦାଖର ପରିସ୍ଥିତି ଉପରେ ଆଲୋଚନା ହୋଇଥିଲା । ଏଥିସହିତ ସରକାରଙ୍କ ପକ୍ଷରୁ ଆସନ୍ତା 19 ଜୁନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବାକୁ ଯାଉଛି ।