
ବୁଣାକାରମାନଙ୍କୁ ତାଲିମ ଦିଆଯାଉନଥିବାରୁ ସେମାନେ ପୁରୁଣା ଢ଼ାଞ୍ଚାରେ ହିଁ ପାଟ ବୁଣୁଛନ୍ତି । ତେବେ ପାଟ ଭବନ ହେବାପରେ ବୁଣାକାରଙ୍କୁ ପ୍ରଶିକ୍ଷଣ ଦିଆଗଲେ ଅଧିକ ଉତ୍ପାଦନ ମଧ୍ୟ ହୋଇପାରିବ । ପୂର୍ବରୁ ବ୍ରହ୍ମପୁର ପାଟ ପାଇଛି ଜିଓ ଗ୍ରାଫିକାଲ ଇଣ୍ଡିକେଶନ୍(ସ୍ୱତନ୍ତ୍ର ମାନ୍ୟତା) । ଅନ୍ୟ କୌଣସି ସଂସ୍ଥା ବ୍ରହ୍ମପୁର ପାଟର ନକଲି କରି ବିକ୍ରି କରିପାରିବେ ନାହିଁ । ନଚେତ୍ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ହେବ । ଜିଆଇ ମାନ୍ୟତା ମିଳିବା ଦ୍ୱାରା ବ୍ରହ୍ମପୁର ପାଟ ପାଇଁ ବ୍ରହ୍ମପୁର ଉପରେ ନିର୍ଭରଶୀଳ ହେଉଛନ୍ତି ଗ୍ରାହକ । ଚହିଦା ରହୁଛି, କିନ୍ତୁ ବୁଣାକାର ଅଭାବରୁ ପାଟ ଉତ୍ପାଦନ ହ୍ରାସ ପାଉଛି । ବ୍ରହ୍ମପୁର ସହକାରୀ ବୟନ ଶିଳ୍ପ ନିର୍ଦ୍ଦେଶକଙ୍କ ଅଧିନରେ ଥିବା ଗଜପତି ଜିଲ୍ଲାରେ ହସ୍ତତନ୍ତ୍ର ଶିଳ୍ପ ସୁପ୍ତ୍ରପ୍ରାୟ । ସେଠାରେ କୌଣସି ବୁଣାକାର ପଞ୍ଜିକୃତ ନାହାଁନ୍ତି । ଗଞ୍ଜମରେ ୩୦ଟି ବୁଣାକାର ସମବାୟ ସମିତି ରହିଛି । ସେଥିରୁ ବୁଗୁଡା ବୁଣାକାର ସମବାୟ ସମିତି ସୁପ୍ତପ୍ରାୟ । ଜିଲ୍ଲାରେ ଉତ୍ପାଦନ ହେଉଥିବା ଅନ୍ୟ ହସ୍ତତନ୍ତ ସାମଗ୍ରୀର ବେଶ୍ ଚାହିଦା ରହିଛି । ବ୍ରହ୍ମପୁର ପାଟ ଓ ଯୋଡ, ପିତ୍ତଳ କଟନ ଶାଢ଼ୀ, ପଦ୍ମନାଭପୁର କଟନ ଶାଢ଼ୀ, ଆସିକା କଟନ୍ ଶାଢ଼ୀ ଓ ହିଞ୍ଜିଳି ବେଡ୍ସିଡ୍ ଚାହିଦା ଭଲ ରହିଛି । ଜିଲ୍ଲାରେ ବର୍ତ୍ତମାନ ୨୯ଟି ବୁଣାକାର ସମବାୟ ସମିତିରୁ ୧୦୭୨ ଜଣ ପଞ୍ଜିକୃତ ହୋଇଛନ୍ତି । ପ୍ରତିବର୍ଷ ବୁଣାକାରଙ୍କ ସଂଖ୍ୟା କମିବାରେ ଲାଗିଛି । ୨୦୦୫-୦୬ ଗଞ୍ଜାମ ଜିଲ୍ଲାରେ ୩୭ଟି ସୋସାଇଟି ଥିଲା ଏବଂ ୫୦୪୫ବୁଣାକରା ପଞ୍ଜିକୃତ ହୋଇଥିଲେ । ପ୍ରୋତ୍ସାହନ ଅଭାବରୁ ବୁଣାକାରଙ୍କ ସଂଖ୍ୟା କମିବାରେ ଲାଗିଛି । ବ୍ରହ୍ମପୁର ବୟନ ଶିଳ୍ପ ଉପନିର୍ଦ୍ଦେଶକ ପ୍ରସନ୍ନ ଗନ୍ତାୟତଙ୍କ କହିବା ପ୍ରକାରେ ବୁଣାକାରଙ୍କ ପ୍ରୋତ୍ସାହିତ କରିବା ପାଇଁ ସରକାର ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି । ଶେରଗଡରେ ବ୍ଲକ୍ସ୍ତରୀୟ କ୍ଲଷ୍ଟର୍ କରାଯାଇଛି । ବୁଣାକାରଙ୍କୁ ନୂତନ ଜ୍ଞାନ କୌଶଳ, ଆଧୁନିକ ଶୈଳୀ ତାଲିମ, ଡିଜାଇନ୍ ଓ ମାର୍କେଟିଂ ପ୍ରଶିକ୍ଷଶ ଦିଆଯାଉଛି । ପିତ୍ତଳ ଓ କୁରଳା ୨ଟି ସୋସାଇଟିର ବୁଣାକାରଙ୍କୁ ଏଠାରେ ତାଲିମ ଦିଆଯାଉଛି । ଏଥିସହ ଏଠାରେ କମନ୍ ଫେସିଲିଟି ସେଣ୍ଟର ଓ କମନ୍ ସର୍ଭିସ୍ ସେଣ୍ଟର କରାଯାଇ ବୁଣାକାରଙ୍କୁ ବିଭିନ୍ନ ଜ୍ଞାନ କୌଶଳ ତାଲିମ ଦିଆଯିବ । ଏଥିପାଇଁ ୧୧୭.୬୨ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ପ୍ରଥମ ପର୍ଯ୍ୟାୟରେ ୩୨ଲକ୍ଷ ୭୩ହଜାର ଟଙ୍କା ମିଳିଥିଲା । ବଳକା ୮୩ଲକ୍ଷ ଟଙ୍କାରୁ ୭୯ଲକ୍ଷ ଟଙ୍କା ମଞ୍ଜୁର ହୋଇସାରିଛି । ବ୍ରହ୍ମପୁରରେ ପାଟ ଭବନ ହେବାପରେ ବ୍ରହ୍ମପୁର ଡିଭିଜନର ବ୍ରହ୍ମପୁର, ବୌଦ୍ଧ, କେବିକେ ଡିଭିଜନ, ସୋନପୁର, ବଲାଙ୍ଗୀର, ପାଟଣାଗଡ, କଳାହାଣ୍ଡି, ସୋନପୁର, କୋରାପୁଟରେ ପ୍ରସ୍ତୁତ ହେଉଥିବା ସାମଗ୍ରୀ ମଧ୍ୟ ବିକ୍ରି କରିବାକୁ ଯୋଜନା ରହିଥିବା ସେ କହିଛନ୍ତି ।