ଭୁବନେଶ୍ୱର – ଏଣିକି ରାଜ୍ୟରେ ଥିବା ପ୍ରାଚୀନ ମନ୍ଦିର ସହ ବଡ଼ ବଡ଼ ମନ୍ଦିର ଗୁଡିକର ଅଡ଼ିଟ୍ କରାଯିବ । ୬୧ଟି ମନ୍ଦିର ଅଡ଼ିଟ୍ କରିବା ପାଇଁ ଦେବୋତର କମିଶନର ଓଡ଼ିଶା ପ୍ରିନ୍ସିପାଲ ଆକାଉଂଟ ଜେନେରାଲଙ୍କୁ ଚିଠି ଲେଖି ଜଣାଇଛନ୍ତି । ଏଥି ମଧ୍ୟରେ ରହିଛି ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିର, ଶନି ମନ୍ଦିର, ଶ୍ରୀରାମ ମନ୍ଦିର, କଟକ ସ୍ଥିତ ପଂଚମୁଖୀ ହନୁମାନ, କଟକ ଚଣ୍ଡୀ ମନ୍ଦିର, ଜଗତସିଂହପୁର ଝଙ୍କଡ଼ସ୍ଥିତ ଶାରଳା ମନ୍ଦିର ଓ ଗୋରଖନାଥ ମନ୍ଦିର, ଯାଜପୁରର ବିରଜା ମନ୍ଦିର, କେନ୍ଦ୍ରାପଡ଼ାର ପ୍ରସିଦ୍ଧ ବଳଦେବଜୀଉ ମନ୍ଦିର, ବାଙ୍କୀ ମା ଚର୍ଚ୍ଚିକା, ଭଦ୍ରକ ଆରଡ଼ି ସ୍ଥିତ ବାବା ଆଖଣ୍ଡଳମଣି ମନ୍ଦିର । ଏହି ମନ୍ଦିର ଗୁଡିକର ପରିଚାଳନା କମିଟି ପୂର୍ବରୁ ନିଜର ଆୟ ବ୍ୟୟର ସମସ୍ତ ହିସାବ ନିଜେ ରଖୁଥିଲେ ।
ଅନ୍ୟପକ୍ଷରେ ସମ୍ପ୍ରତି ଲିଙ୍ଗରାଜ ମନ୍ଦିର ବିପଦଶଙ୍କୁଳ ଅବସ୍ଥାରେ ରହିଥିବା ନେଇ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)କୁ ଚିଠି ଲେଖି ଜଣାଇଛନ୍ତି । ସେ ଏଥିରେ ଦର୍ଶାଇଛନ୍ତି, ମନ୍ଦିରର ଦଧିନଉତି ଓ ଶିଖରରେ ଫାଟ ଦେଖା ଦେଇଛି । ମୁଖ୍ୟ ମନ୍ଦିରର ଯୋଡା ସ୍ଥାନରେ ପାଣି ଗଳୁଛି । ଏହାର ମରାମତି ଏକାନ୍ତ ଜରୁରୀ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି ।