ବ୍ରହ୍ମପୁର : ସ୍ଥାନୀୟ ସଞ୍ଜୟ ମେମୋରିଆଲ ବୈଷୟିକ ଅନୁଷ୍ଠାନ(ଏସ୍ଏମ୍ଆଇଟ)ର ସମ୍ମିଳନୀ ଗୃହରେ ଚନ୍ଦ୍ରକଳ୍ପେଶ୍ୱର ନିର୍ମାଣ ଶ୍ରମିକ ସଂଘ ତରଫରୁ ମଙ୍ଗଳବାର ଶ୍ରମିକମାନଙ୍କ ବିଭିନ୍ନ ଅସୁବିଧା ନେଇ ସଂଘର ସଭାପତି ଡ.ଭଗବାନ ଗନ୍ତାୟତଙ୍କ ଅଧ୍ୟକ୍ଷତାରେ ଆଲୋଚନା ହୋଇଥିଲା । ଶ୍ରମିକମାନଙ୍କୁ ସରକାରଙ୍କ ଠାରୁ ମିଳୁଥିବା ପ୍ରାପ୍ୟ ୧୫୦୦ଟଙ୍କା ବହୁ ଶ୍ରମିକଙ୍କୁ ମିଳୁନଥିବା ନେଇ ଆଲୋଚନା ହୋଇଥିଲା । ଶହେ ଜଣ ଶ୍ରମିକମାନଙ୍କ ପଞ୍ଜିକୃତ ନାମ ରଙ୍ଗେଇଲୁଣ୍ଡା ବ୍ଲକ୍ରେ ଥିବା ସ୍ଥଳେ ସେମାନଙ୍କ ନାମ କନିଷି ବ୍ଲକ୍ରେ ଉଲ୍ଲେଖ ଥିବା ସଂଘର ସମ୍ପାଦକ ଡମ୍ବରୁ ରଣା କହିଥିଲେ । ସ୍ଥାନୀୟ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଏହି ବିଷୟ ଦୃଷ୍ଟିକୁ ଅଣାଯାଇଥିଲେ ମଧ୍ୟ ଶ୍ରମିକମାନେ ସେମାନଙ୍କ ପ୍ରାପ୍ୟ ଅଦ୍ୟାବଧି ପାଇନାହାଁନ୍ତି । ଯଦ୍ୱାରା ସେମାନଙ୍କ ପରିବାର ବର୍ତ୍ତମାନ କରୋନା ସମୟରେ ଭୋକ ଉପାସରେ ରହିଛନ୍ତି । ସେମାନଙ୍କ ନାର୍ଯ୍ୟ ପ୍ରାପ୍ତ ତୁରନ୍ତ ଦେବାପାଇଁ ସଭାପତି ଡ.ଭଗବାନ ଗନ୍ତାୟତ ଓ ସମସ୍ତ ସଭ୍ୟ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ଦାବି କରିନ୍ତି । ଏହି ବୈଠକରେ ଶ୍ରମିକ ସଭ୍ୟ ପୁରୁଷୋତ୍ତମ ବେହେରା, ବଳରାମ ଗୌଡ, ଶିବ ମହାରଣା, ମନୋରଞ୍ଜନ ଗୌଡ, କୃଷ୍ଣ ସେଠୀ, ମିଟୁ ସେଠୀ, ବାସୁଦେବ ନାୟକ, ମୁନା ଡାକୁଆ, ଉଦୟନାଥ ସାହୁ, ଗୋପାଳ ସାହୁ, ବିଶ୍ୱନାଥ ଦୋରା ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଡ.ଗନ୍ତାୟତ ଶ୍ରମିକମାନଙ୍କୁ ଏସ୍ଏମ୍ଆଇଟି ତରଫରୁ ବସ୍ତ୍ର ବଣ୍ଟନ କରିଥିଲେ ।