-
ଅମାନିଆଙ୍କୁ ସାବାଡ କରୁଛି ପୋଲିସ ଓ ପ୍ରଶାସନ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଛି । ଗତ କିଛିଦିନ ବ୍ୟବଧାନ ମଧ୍ୟରେ ଜିଲ୍ଲାକୁ ପ୍ରାୟ ୨ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଦେଶର ବିଭିନ୍ନ ରାଜ୍ୟ ଓ ଦେଶ ବାହାରୁ ଗଞ୍ଜାମକୁ ଆସିଛନ୍ତି । କାହାର କ୍ୱରଣ୍ଟାଇନ୍ ଅବଧି ସରିଛି ତ କାହାର ସରିନାହିଁ । ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣ ହେବା ଆଶଙ୍କାକରି ଗତ ୧୪ତାରିଖ ଦିନ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନାକରି ଗଞ୍ଜାମ ଜିଲ୍ଲାରେ ୧୯ଘଣ୍ଟିଆ ସଡ୍ ଡାଉନ୍ ଘୋଷଣା କରିଥିଲେ । ଏହାର ତୃତୀୟ ଦିନ ବୁଧବାର ସକାଳ ୭ଟାରୁ ୧୨ଟା ୫ଘଣ୍ଟା ବ୍ରହ୍ମପୁର ମହାନଗର ନିଗମ ସହ ଜିଲ୍ଲାର ସମସ୍ତ ସହରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା ପରିବା, ତେଜରାତୀ, କ୍ଷୀର ଓ ଔଷଧ ଦୋକାନକୁ ଛାଡିଦେଲେ ଜିଲ୍ଲାରେ କାଁ ଭାଁ ଅନ୍ୟ ଦୋକାନ ଖୋଲିଥିଲା । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ୨୨ଟି ବ୍ଲକ୍ ଓ ୧୭ଟି ଏନ୍ଏସିର ବିଡିଓ, ତହସିଲଦାର ଓ ନିର୍ବାହୀଯନ୍ତ୍ରୀଙ୍କ ସହ ପୋଲିସ ଅଧିକାରୀମାନେ ନିଜ ନିଜ ଅଞ୍ଚଳରେ ସଡ୍ ଡାଉନ୍ କିପରି କଡାକଡି ପାଳନ କରାଯିବ ସେନେଇ ତୃତୀୟ ଦିନରେ ବୁଧବାର ସକାଳୁ ନିଜ ନିଜ ଅଞ୍ଚଳରେ ପଇଁତରା ମାରିଛନ୍ତି । ଏହି ମର୍ମରେ ବୁଧବାର ଖୋଦ୍ ଜିଲ୍ଲାପାଳ କୋଦଳା, ଆସିକା, ଭଞ୍ଜନଗର, କବିସୂର୍ଯ୍ୟନଗର, ବେଲଗୁଣ୍ଠା, ଜଗନ୍ନାଥପ୍ରସାଦ, ସୋରଡା ଆଦି ଅଞ୍ଚଳ ବୁଲି ସଟ୍ ଡାଉନ୍ର ସ୍ଥିତି ଅନୁଧ୍ୟାନ କରିବା ସହ ଅମାନିଆଙ୍କୁ ସାବାଡ କରିଥିଲେ । ସେପଟେ ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରଏ ଓ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ନିଜ ନିଜ ଇଲାକାରେ ବୁଲି ସଟ୍ ଡାଉନ୍ର ସ୍ଥିତି ଅନୁଧ୍ୟାନକରି ସଚେତନତା କରିଛନ୍ତି । ଜିଲ୍ଲାପାଳଙ୍କ ବିଭିନ୍ନ ବ୍ଲକ୍ ଗସ୍ତ ସମୟରେ ବହୁ କିରାଣୀ, ପରିବା, ତେଜରାତି, ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରି କରୁଥିବା ବ୍ୟବସାୟୀମାନେ ମାସ୍କ ନପିନ୍ଧିବା, ଗ୍ରାହକଙ୍କୁ ସମଦୂରତା ରକ୍ଷା କରୁନଥିବା ଦେଖି ବିରକ୍ତି ପ୍ରକାଶ କରିବା ସହ ଟ୍ୱିଟ୍କରି ବ୍ୟବସାୟୀଙ୍କୁ ନିଜେ ସଚେତନତା ରୁହନ୍ତୁ ଅନ୍ୟକୁ ସଚେତନ କରନ୍ତୁ ବୋଲି ବାର୍ତ୍ତା ଦେଇଛନ୍ତି । ସେପଟେ ବ୍ରହ୍ମପୁର ସହରରେ ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବ, ତହସିଲଦାର ସିପକ ପାତ୍ର ବିଭିନ୍ନ ଅଞ୍ଚଳ ପରିଦର୍ଶନ ବେଳେ ଅମାନିଆ ଦୋକାନୀ ମାଲିକଙ୍କୁ ସାବାଡ କରିଥିଲେ । ଗାନ୍ଧୀନଗର ଅଞ୍ଚଳରେ କିଛି କମ୍ପ୍ୟୁଟର ଦୋକାନ ଖୋଲାଥିବା ଦେଖି ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ତାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବାସହ ଦଳୁଆ ସାହିରେ ଥିବା କିଛି ଦୋକାନୀଙ୍କୁ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି କିଛି ଦୋକାନର ବିଜୁଳି ସରବରାହଳକୁ କାଟିଛନ୍ତି । ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କରୁଥିବା ଦେଖିବାକୁ ମିଳିଥିଲା ।