-
ସୁଧାଂଶୁ ପଣ୍ଡା ହେଲେ ସମ୍ପାଦକ
ବ୍ରହ୍ମପୁର: ବାର୍ କାଉନସିଲ୍ଙ୍କ ନିର୍ଦ୍ଦେଶ ପ୍ରକାରେ ନିର୍ବାଚନ ଅଧିକାରୀଙ୍କ ଉପସ୍ଥିତିରେ ବୁଧବାର ଗଞ୍ଜାମ ଓକିଲ ସଂଘର ଚଳିତ ବର୍ଷ ୨୦୨୦ ପାଇଁ ନୂତନ ସମ୍ପାଦକଙ୍କୁ ମନୋନୀତ କରାଯାଇଛି । ଗଞ୍ଜାମ ଓକିଲ ସଂଘର ମନୋନୀତ ଅଧ୍ୟକ୍ଷ ଭଗବାନ ସାହୁଙ୍କ ସମେତ ୯ଜଣ ସଦସ୍ୟ ଏକ ଜରୁରୀ ବୈଠକ ଡକାଇ ସେଥିରେ ଏହି ନିଷ୍ପତ୍ତି ନେଇଥିଲେ । ଉକ୍ତ ୯ଜଣ ସଦସ୍ୟ ଗଞ୍ଜାମ ଓକିଲ ସଂଘର ପୂର୍ବତନ ସଭାପତି ସୁଧାଂଶୁ ପଣ୍ଡାଙ୍କୁ ୨୦୨୦ର ଗଞ୍ଜାମ ଓକିଲ ସଂଘର ମନୋନୀତ ସମ୍ପାଦକ ଭାବେ ବାଛିଥିଲେ । ପରେ ତାଙ୍କୁ ଅଧ୍ୟକ୍ଷ ଭଗବାନ ସାହୁଙ୍କ ସମେତ ବାର୍ର ସମସ୍ତ ସଦସ୍ୟମାନେ ସମ୍ବର୍ଦ୍ଧନା ଦେଇଥିଲେ । ରାଜ୍ୟ ବାର୍ କାଉନସିଲ୍ ପଠାଇଥିବା ୯ ଜଣ ସଦସ୍ୟଙ୍କ ମଧ୍ୟରୁ ସମ୍ପାଦକ କିଏ ହେବ ସେ ନେଇ ବେଶ୍ କିଛି ଦିନ ହେଲା ଜୋର୍ଦାର୍ ଆଲୋଚନା ହୋଇଥିଲା । ୯ ଜଣ ସଦସ୍ୟଙ୍କ ମଧ୍ୟରୁ ୫ଜଣ ଯାହାକୁ ସମର୍ଥନ କରିବେ ସେ ହିଁ ସମ୍ପାଦକ ହେବ ବୋଲି ଉଲ୍ଲେଖ ରହିଥିବା ଯୋଗୁଁ ଲବି ଆରମ୍ଭ ହୋଇଥିଲା । ଲବିରେ ୪ଜଣ ପୂର୍ବତନ ସମ୍ପାଦକ ପୁଣି ସମ୍ପାଦକ ପଦବୀ ପାଇଁ ଇଚ୍ଛା ପ୍ରକାଶ କରିଥିବା ବେଳେ ଜଣେ ପୂର୍ବତନ ସଭାପତି ମଧ୍ୟ ସମ୍ପାଦକ ପଦବୀ ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଫଳରେ କିଏ ସମ୍ପାଦକ ହେବ ସେ ନେଇ ବିଚାରବିମର୍ଷ ଚାଲିଥିବା ବେଳେ କିଛି ପୂର୍ବତନ ସଭାପତି ଏବଂ ସମ୍ପାଦକ ଏହି ସମ୍ପାଦକ ପଦବୀ ଦୌଡରୁ ଓହରି ଯାଇଥିଲେ । ଶେଷରେ ପୂର୍ବତନ ସଭାପତି ସୁଧାଂଶୁ ପଣ୍ଡା ଏବଂ ପୂର୍ବତନ ସମ୍ପାଦକ ନାରାୟଣ ପଣ୍ଡା ସମ୍ପାଦକ ପଦବୀ ପାଇଁ ନିଜର ଇଚ୍ଛା ବ୍ୟକ୍ତ କରିିଥିଲେ । ୯ ଜଣ ସଦସ୍ୟଙ୍କ ମଧ୍ୟରୁ ଦୁଇ ଜଣ ଶେଷରେ ସମ୍ପାଦକ ପଦବୀ ପାଇଁ ଇଚ୍ଛା ପ୍ରକାଶ କରିଥିବା ଯୋଗୁଁ ନିର୍ବାଚନ ଅଧିକାରୀ ନୟନ ମହାପାତ୍ରଙ୍କ ସମ୍ମ୍ୁଖରେ ଦୁଇ ଜଣଙ୍କ ପାଇଁ ଗୁପ୍ତ ଭୋଟ ହେବ ବୋଲି ନିଷ୍ପତି ହୋଇଥିଲା । ନବ ନିଯୁକ୍ତ ମନୋନୀତ ଅଧ୍ୟକ୍ଷ ଭଗବାନ ସାହୁଙ୍କ ସମେତ ୯ଜଣ ସଦସ୍ୟ ଭୋଟ ଦେଇଥିଲେ । ୯ଜଣ ସଦସ୍ୟଙ୍କ ମଧ୍ୟରୁ ୬ଜଣ ସଦସ୍ୟ ସୁଧାଂଶୁ ପଣ୍ଡାଙ୍କୁ ସମ୍ପାଦକ ପାଇଁ ନିଜର ଗୁପ୍ତ ଭୋଟ ଦେଇଥିବା ବେଳେ ୩ ଜଣ ନାରାୟଣ ପଣ୍ଡାଙ୍କୁ ନିଜର ଗୁପ୍ତ ଭୋଟ ଦେଇଥିଲେ । ଅଧିକ ଭୋଟ ପାଇ ସୁଧାଂଶୁ ପଣ୍ଡା ୨୦୨୦ର ଗଞ୍ଜାମ ଓକିଲ ସଂଘର ସମ୍ପାଦକ ଭାବେ ମନୋନୀତ ହୋଇଥିଲେ । ଏକ ସପ୍ତାହ ପୂର୍ବରୁ ବାର୍ କାଉନ୍ସିଲ୍ ଭଗବାନ ସାହୁଙ୍କୁ ଅଧ୍ୟକ୍ଷ ଭାବେ ମନୋନୀତ କରିଥିବା ବେଳେ ସେ ପ୍ରଥମେ ନୂତନ ସମ୍ପାଦକ ସୁଧାଂଶୁ ପଣ୍ଡାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପରେ ଓକିଲ ସଂଘ ଏବଂ ୯ଜଣ ସଦସ୍ୟଙ୍କ ସମେତ ଓକିଲ ସଂଘର ସମସ୍ତ ସଦସ୍ୟ ସୁଧାଂଶୁ ପଣ୍ଡାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ପରେ ସମ୍ପାଦକଙ୍କୁ ବିଧାୟକ ବିକ୍ରମ କୁମାର ପଣ୍ଡା ଏବଂ ତାଙ୍କ ସମର୍ଥକଙ୍କ ସମେତ ପ୍ରେସ୍ କ୍ଲବ ପକ୍ଷରୁ ମଧ୍ୟ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା ।