
-
ଭୁବନେଶ୍ୱର ଏମ୍ସରେ ନେଲେ ଶେଷ ନିଃଶ୍ୱାସ
(କୃଷ୍ଣ କୁମାର ମହାନ୍ତି, ବାଲେଶ୍ଵର)
କେହି ଭାବିନଥିଲେ ଆଜିର ସକାଳ ଏମିତି ଏକ ଦୁଃଖଦ ଖବର ନେଇ ଆସିବ। ସମଗ୍ର ବାଲେଶ୍ଵରରେ ଛାଇଯିବ ଶୋକର କଳାବାଦଲ। ସଭିଙ୍କ ମୁହଁରେ ଫୁଟିଉଠିବ ଅପ୍ରତ୍ୟାଶିତ ଆଶ୍ଚର୍ଯ୍ୟ ଭାବ ! କେହି ଭାବିନଥିଲେ ମଙ୍ଗୁଭାଇ ନାମରେ ଘରେ ଘରେ ପରିଚିତ ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ଦେହାନ୍ତ ଏପରି ଆକସ୍ମିକ ଭାବେ ଘଟିବ।
ଆଜି ସକାଳେ ବିଜେପିର ବିଧାୟକ ତଥା ଭାରତୀୟ ଜନତା ପାର୍ଟିର ଜଣେ ଟାଣୁଆ ଲୋକପ୍ରିୟ ନେତା ମଦନମୋହନ ଦତ୍ତଙ୍କ ଦେହାନ୍ତ ହୋଇଯାଇଛି। ଭୁବନେଶ୍ୱରର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS)ରେ ସେ ଚିକିତ୍ସିତ ହେଉଥିବା ଅବସରରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ୨୦୧୯ରେ ସେ ବିଜେପି ପ୍ରାର୍ଥୀ ଭାବେ ବିଧାନସଭା ନିର୍ବାଚନ ଲଢି ଜୟଯୁକ୍ତ ହୋଇଥିଲେ। ପରେ ପରେ ସେ ଅସୁସ୍ଥ ହୋଇ ଗୁରୁତର ଅବସ୍ଥାରେ ଭୁବନେଶ୍ୱର AIIMS ରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଥିଲେ।
ସୂତ୍ରରୁ ପ୍ରକାଶ ଯେ ସେ ଆଜି ସକାଳ ୯.୪୫ ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବାଲେଶ୍ୱରରେ ତାଙ୍କ ପ୍ରିୟପରିଜନଙ୍କ ଭିତରେ ଶୋକର ଛାୟା ଖେଳି ଯାଇଛି।