-
ପୋଲିସ କବ୍ଜାରେ ୩ ହତ୍ୟାକାରୀ, ଲୁଟ୍ ଟଙ୍କା ଓ ସୁନା ଜବତ
ବ୍ରହ୍ମପୁର : ବ୍ରହ୍ମପୁରର ବିଶିଷ୍ଟ କ୍ଷୀର ବ୍ୟବସାୟୀ ତଥା ହେରିଟେଜ୍ କମ୍ପାନୀ ଡିଲର ଲମ୍ବୋଦର ମୁନି ହତ୍ୟା ଓ ଲୁଟ୍ ଘଟଣାରେ ଗୋଷାଣୀନୂଆଗାଁ ପୋଲିସକୁ ମିଳିଛି ବଡ ସଫଳତ । ଲମ୍ବୋଦରଙ୍କ ସମ୍ପତି ଲୋଭରେ ଏଭଳି ଘଟଣା ଘଟିଥିବା ପୋଲିସ ଜାଣିବାକୁ ପାଇଛି । ଖୋଦ୍ ତାଙ୍କ ଗାଡିର ଡ୍ରାଇଭର ଓ ମ୍ୟାନେଜର ଏହି ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ । ଏହି ୨ଜଣଙ୍କୁ ପୋଲିସ ଅଟକ ରଖି କୁଆଡେ ତଥ୍ୟ ସଂଗ୍ରହ କରୁଥିବା ବିଶେଷସୂତ୍ରରୁ ଜଣାପଡିଛି । ଲୋଭରେ ପିଡି କିଛି ସହଯୋଗୀଙ୍କୁ ନେଇ ଲୁଟ୍ ପାଇଁ ଷଡଯନ୍ତ୍ରକରି ପ୍ରଥମେ ଲୁଟ୍ କରିଥିଲେ । ଲୁଟ୍ ବେଳେ ବ୍ୟବସାୟୀ ଲମ୍ବୋଦରଙ୍କ ସହ ପାଟିତୁଣ୍ଡ ହେବାସହ ଜଣାପଡିଯିବା ଭୟରେ ଉତ୍ତକ୍ଷୀପ୍ତ ହୋଇ ତାଙ୍କ ମୁହଁକୁ ମାରି ହତ୍ୟା କରିଥିଲେ । ପୋଲିସ ଘଟଣାଦିନ ହିଁ ତାଙ୍କର ଡ୍ରାଇଭରକୁ ଅଟକ ରଖି ପଚରା ଉଚୁରା ବେଳେ ଏହା ଜାଣିବାକୁ ପାଇଛି । ଅଟକଙ୍କୁ ମଧ୍ୟରାତ୍ରରେ ହତ୍ୟାକାଣ୍ଡର ଡେମୋ ଦେଖିଛି ପୋଲିସ । ତେବେ ସମ୍ପୃକ୍ତ ଡ୍ରାଇଭର ସହିତ ମୋଟ ୩ଜଣ ସନ୍ଦିଗ୍ଧଙ୍କୁ ଅଟକରଖି ଅଧିକ ତଦନ୍ତ କରୁଛି । ପୋଲିସ ଏମାନଙ୍କ ଠାରୁ ଲୁଟ୍ ସୁନା ଓ ଟଙ୍କା ଜବତ କରିଛି । ଏନେଇ ପୋଲିସକୁ ପଚାରିବା ବେଳେ କୌଣସି ସୂଚନା ମିଳିନାହିଁ । ସୂଚନାଥାଉକି, ଗୋଷାଣୀନୂଆଗାଁ ଥାନା ଅନ୍ତର୍ଗତ ହିଲ୍ପାଟଣାର କ୍ଷୀର ବ୍ୟବସାୟୀ ଲମ୍ବୋଦରଙ୍କୁ ଗତ ୧୩ତାରିଖ ବିଳମ୍ବିତ ରାତିରେ ହତ୍ୟା କରାଯାଇଥିଲା । ଜିଲ୍ଲାରେ ସଡ୍ ଡାଉନ ଚାଲିଥିବା ବେଳେ ଏଭଳି ହତ୍ୟାକାଣ୍ଡକୁ ନେଇ ସେତେବେଳେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ୧୪ତାରିଖ ଦିନ ଘଟଣା ଜଣାପଡିବାପରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଡ୍ରାଇଭର ହିଁ ପୋଲିସକୁ ପ୍ରଥମ ଖବର ଦେଇଥିଲା । ପୋଲିସ ସନ୍ଦେହରେ ସମ୍ପୃକ୍ତ ଡ୍ରାଇଭରକୁ ଅଟକ ରଖି ପଚରା ଉଚୁରା ବେଳେ ହତ୍ୟାକାଣ୍ଡକୁ ସ୍ୱୀକାର କରିଥିଲା । ତା’ଠାରୁ ତଥ୍ୟ ସଂଗ୍ରହକରି ତାର ଅନ୍ୟ ସହଯୋଗୀଙ୍କୁ ପୋଲିସ ଧରିଛି । ଲୁଟ୍ ହୋଇଥିବା ପ୍ରାୟ ୧୦ଲକ୍ଷ ଟଙ୍କା ମଧ୍ୟରୁ ପ୍ରାୟ ୮ଲକ୍ଷ ଟଙ୍କା ପୋଲିସ ଜବତ କରିଥିବା ବେଳେ ଲୁଟ୍ ସୁନା ସବୁ ଜବତ କରିଥିବା କୁହାଯାଉଛି । ସମସ୍ତ ହତ୍ୟାକାରୀକୁ ପୋଲିସ ଚିହ୍ନଟ କରିଥିବା ବେଳେ ଆଉ କିଛି ହତ୍ୟାକାରୀ ବର୍ତ୍ତମାନ ସୁଦ୍ଧା ଫେରାର ଅଛନ୍ତି । ଏସ୍ପି ପିନାକ ମିଶ୍ରଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଏସ୍ପି ପ୍ରଭାତ ଚନ୍ଦ୍ର ରାଉତରାଏଙ୍କ ତତ୍ତ୍ୱାବଧାନରେ ଏସ୍ଡିପିଓ ବିଷ୍ଣୁପ୍ରସାଦ ପତି ଓ ସହରର ୪ଟି ଥାନାର ଅଧିକାରୀମାନେ ହତ୍ୟାକାରୀଙ୍କୁ ଧରିବା ପାଇଁ ଯୋଜନା ପ୍ରସ୍ତୁତକରି ଚଢ଼ାଉ ଜାରି ରଖିଥିବା ଜଣାପଡିଛି ।