
-
ବାଲେଶ୍ଵରର ତନ୍ମୟୀ ହେଲେ ରଜକୁଇନର ଦ୍ଵିତୀୟ ରନର୍ସ ଅପ୍
ବାଲେଶ୍ଵର, ୧୫/୬: (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ଫୁଲବାଣୀ ସ୍ଥିତ ଇଗଲ ମ୍ୟୁଜିକ୍ ଆଣ୍ଡ ଭିଡିଓ ଗ୍ରୁପ୍ ପକ୍ଷରୁ ପ୍ରଥମ କନ୍ଧମାଳ ରଜ କୁଇନ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ମହାମାରୀ କରୋନା ପାଇଁ ଅନ୍ ଲାଇନ୍ ରେ ପ୍ରତିଯୋଗିତା ହୋଇଥିଲା। ଗୀତ, ନୃତ୍ୟ, ଅଭିନୟ, ସାଜସଜ୍ଜା, ଝୋଟି ଓ ପ୍ରଶ୍ନୋତ୍ତର ରାଉଣ୍ଡ ପର୍ଯ୍ୟାୟରେ ପ୍ରତିଯୋଗିତା ହୋଇଥିବା ବେଳେ ଫୁଲବାଣୀର ସୋନାଲି ପାଣିଗ୍ରାହୀ ଓ ଏମ୍. ବିଜୟଲକ୍ଷ୍ମୀ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ବାଲେଶ୍ବରର ସୁଶ୍ରୀ ତନ୍ମୟୀ ପାଢୀ ତୃତୀୟ ସ୍ଥାନ ଅଧିକାର କରି କ୍ରାଉନ ପିନ୍ଧିଛନ୍ତି।
ପ୍ରତିଯୋଗିତାର ବିଚାରକ ଭାବେ ଓଲିଉଡ୍ ଅଭିନେତା ଶଶାଙ୍କ ଦିଗାଲ, ଇଗଲ ମ୍ୟୁଜିକ୍ ଲାବ୍ ର ନିର୍ଦ୍ଦେଶକ ସୌମ୍ୟ ରଞ୍ଜନ ସାହାଣୀ, ଆଲବମ ନିର୍ଦ୍ଦେଶକ ଉତ୍କଳ ମହାରଣା ଓ କଣ୍ଠ ଶିଳ୍ପୀ ସୁଶାନ୍ତ ଚିନାରା ପ୍ରମୁଖ ଉପସ୍ଥିତ ଥିଲେ। ବରିଷ୍ଠ ନାଗରିକ ବସନ୍ତ ସାହାଣୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟୀ ପ୍ରତିଯୋଗୀଙ୍କୁ କ୍ରାଉନ ପିନ୍ଧାଇଥିଲେ।
ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତ ହେବାକୁ ଥିବା ଓଡିଆ ଆଲବମ ‘ବାଞ୍ଜାରା’ରେ ଗୀତ ଗାଇବା ଓ ଅଭିନୟ ପାଇଁ ବିଜୟୀ ପ୍ରତିଯୋଗୀଙ୍କୁ ସୁଯୋଗ ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ସୁଶ୍ରୀ ତନ୍ମୟୀ ଜଣେ ଚିତ୍ରଶିଳ୍ପୀ ଓ କଣ୍ଠଶିଳ୍ପୀ ଭାବରେ ଅତି ଛୋଟ ବୟସରୁ ପ୍ରଶଂସା ଭାଜନ ହୋଇ ଆସିଛନ୍ତି। ସାମ୍ବାଦିକ ତାରିଣୀ ପାଢୀଙ୍କର ସେ ବଡଝିଅ।