-
ପରିଚିତ ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରୁଛି ପୋଲିସ
ବ୍ରହ୍ମପୁର : ଗୋଷାଣୀନୂଆଗାଁ ଥାନା ଅନ୍ତର୍ଗତ ହିଲ୍ପାଟଣା ନିବାସୀ ତଥା କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନିଙ୍କୁ ହତ୍ୟା ଘଟଣାର ତଦନ୍ତରେ ପୋଲିସକୁ କିଛିଟା ସଫଳତା ମିଳିଛି । ଲମ୍ବୋଦରଙ୍କ ସହିତ ଦୀର୍ଘଦିନରୁ ପରିଚିତ କିଛି ଲୋକ ସମ୍ପତି ଲୋଭରେ ପଡି ତାଙ୍କୁ ହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ପୋଲିସ ଲମ୍ବୋଦରଙ୍କ କ୍ଷୀର ବ୍ୟବସାୟ ସହିତ ଜଡିତ ଥିବା କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ସ୍କାନର୍ରେ ରଖିଛି । ଖୁବଶୀଘ୍ର ଘଟଣାର ପର୍ଦ୍ଦାଫାଶ ହୋଇଯିବ । ଲୁଟ୍ ପାଇଁ ଲମ୍ବୋଦରଙ୍କୁ ହତ୍ୟା କରାଯାଇଥିବା ପୋଲିସ ତଦନ୍ତରେ ସ୍ପଷ୍ଟ ହୋଇଛି । ଲମ୍ବୋଦରଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରାଯିବା ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଲମ୍ବୋଦରଙ୍କ ଗୋଦାମ ଘରର ପଛପଟ କବାଟ ତାଲା ଭାଙ୍ଗି ୪ଜଣ ଦୁର୍ବୃତ୍ତ ଭିତରକୁ ପ୍ରବେଶ କରିଥିବା ଦୃଶ୍ୟ ନିକଟସ୍ଥ ଏକ କୋଠାରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍ରୁ ସ୍ପଷ୍ଟ ଜଣାପଡୁଛି । ଲମ୍ବୋଦରଙ୍କ ଗୋଡ ବନ୍ଧା ଯାଇଥିବା ବେଳେ ତାଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିଲା । ହତ୍ୟାକାଣ୍ଡ ପରେ ଲୁଟେରାମାନେ ଆଲମିରାରେ ଥିବା ସମସ୍ତ ଟଙ୍କା ଓ ଗହଣା ନେଇଯାଇଥିଲେ । ଏପରିକି ଲମ୍ବୋଦର ପିନ୍ଧିଥିବା ବ୍ରେସଲେଟ୍, ଚେନ୍ ଓ ମୁଦି ମଧ୍ୟ ନେଇଯାଇଥିଲେ । ପାରିପାଶ୍ୱିର୍କ ସ୍ଥିତିକୁ ଦେଖିଲେ ଲୁଟ୍ ପାଇଁ ଲମ୍ବୋଦରଙ୍କୁ ହତ୍ୟା କରାଯାଇଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ଲମ୍ବୋଦରଙ୍କ ଗୋଦାମ ଘର ନିକଟସ୍ଥ କୋଠାରେ ଲାଗିଥିବା ସିସି କ୍ୟାମେରାରୁ ମିଳିଥିବା ଫୁଟେଜ୍କୁ ଆଧାରକରି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ସେହିପରି ବ୍ୟବସାୟରେ ଲମ୍ବୋଦରଙ୍କ ସହିତ କାହାର ଶତ୍ରୁତା ଥିଲା କି, ତାଙ୍କୁ କିଏ ବଟି ମାଗିଥିଲେ କି, ଏଭଳି ବିଭିନ୍ନ ଦିଗ ଉପରେ ପୋଲିସ ତଦନ୍ତ କରିଛି । ଲମ୍ବୋଦରଙ୍କ ସହିତ ଭଲ ଭାବେ ପରିଚିତ କିଛଇ ନିର୍ଦ୍ଦିଷ୍ଟ ଲୋକଙ୍କୁ ମଧ୍ୟ ସ୍କାନିଂ କରିଛି । ଶେଷରେ ପୋଲିସକୁ କିଛି ଠୋସ୍ ପ୍ରମାଣ ହସ୍ତଗତ ହୋଇଛି । ତାହାକୁ ଆଧାରକରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
ସୂଚନାଯୋଗ୍ୟ ଯେ, ବ୍ୟବସାୟୀ ଲମ୍ବୋଦର ହେରିଟେଜ୍ କମ୍ପାନୀର କ୍ଷୀର ଓ ଅନ୍ୟ ସାମଗ୍ରୀର ଡିଲର୍ସିପ ନେଇଛନ୍ତି । ସେ ପତ୍ନୀଙ୍କ ସହିତ ହିଲ୍ପାଟଣା ଏମ୍ଏଭି ସ୍କୁଲ ପାଶ୍ୱର୍ଗଳିରେ ଏକ ଆପାର୍ଟମେଣ୍ଟରେ ରହୁଛନ୍ତି । ନିକଟରେ ତାଙ୍କର କ୍ଷୀର ଗୋଦାମ ରହିିଛି । ଦୁଇ ପୁଅ ବିଦେଶରେ ରହୁଥିବା ବେଳେ ଝିଅ ବାହା ହୋଇ ଭୁବନେଶ୍ୱରରେ ରହୁଛନ୍ତି । ଗତ କିଛିଦିନ ହେଲା ଲମ୍ବୋଦର ରାତିରେ ଏକୁଟିଆ ଗୋଦାମ ଘରେ ରହୁଥିଲେ । ଭୋର ସକାଳୁ କ୍ଷୀର ଆସିଥାଏ । ତାହା ସଂଗ୍ରହକରି ବିଭିନ୍ନ ସ୍ଥାନକୁ ପୁଣିଥରେ ପଠାଯାଇଥାଏ । ସେଥିପାଇଁ ଲମ୍ବୋଦର ଘରକୁ ନଆସି ରାତିରେ ଗୋଦାମରେ ଶୋଇ ପଡୁଥିଲେ । ରବିବାର ଭୋରରେ କମ୍ପାନୀର ଡ୍ରାଇଭର ସେଠାରେ ପହଞ୍ôଚଥିଲେ । କିନ୍ତୁ ଲମ୍ବୋଦରଙ୍କୁ ପାଇ ନଥିଲେ । ଗୋଦାମ ଘର କବାଟ ଭିତର ପଟ ବନ୍ଦ ରହିଥିଲା । ସେ ଗୋଦାମର ମ୍ୟାନେଜରଙ୍କ ଫୋନ୍ କରିଥିଲେ । ମ୍ୟାନେଜର ସେଠାରେ ପହଞ୍ôଚଥିଲେ । ଉଭୟ ଗୋଦାମର ପଛପଟ ରାସ୍ତାଦେଇ ଭିତରକୁ ଯିବା ବେଳେ କବାଟ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ଭିତରେ ପଶି ଶୋଇବା କୋଠରୀରେ ଯିବା ବେଳେ କବାଟ ତାଲା ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ । ଭିତରେ ପଶି ଶୋଇବା କୋଠରୀରେ ଦେଖିବା ବେଳେ ଲମ୍ବୋଦର ମୁହଁମାଡି ତଳେ ପଡିଛନ୍ତି । ଏହାଦେଖି ସେ ତୁରନ୍ତ ପୋଲିସକୁ ଖବର କରିଥିଲେ ।