ବ୍ରହ୍ମପୁର : ମାତ୍ର ୪ଘଣ୍ଟାର ନୋଟିସ୍ରେ ଦେଶବ୍ୟାପି ଲକ୍ ଡାଉନ୍ ଘୋଷଣାପ ପରେ କୋଟି କୋଟି ପ୍ରବାସୀ ଶ୍ରମିକ ନାହିଁ ନଥିବା ଅସୁବିଧା ଓ କଷ୍ଟ ଭୋଗ କରୁଛନ୍ତି । ଯୋଜନାହୀନ ଲକ୍ ଡାଉନ୍ ଯୋଗୁ ସମଗ୍ର ଦେଶ ଦୁର୍ଦ୍ଦଶା ଭୋଗ କରୁଥିବାେ ବଳେ ସବୁଠାରୁ ବେଶି ହନ୍ତସନ୍ତ ହୋଇଛନ୍ତି ପ୍ରବାସୀ ଶ୍ରମିକ । ଓଡ଼ିଶାକୁ ଜୁନ୍ ୯ତାରିଖ ସୁଦ୍ଧା ଶ୍ରମିକ ସ୍ପେଶାଲ ଟ୍ରେନ୍ ଯୋଗେ ୩ଲକ୍ଷ ୧୮ହଜାର ୯୮୬ଜଣ ଏବଂ ବସ୍ ଯୋଗେ ୧ଲକ୍ଷ ୪୬ହଜାର ୫୧୩ଜଣ ପ୍ରବାସୀ ଶ୍ରମିକ ଫେରିଥିବା ସରକାରୀ ସୂତ୍ରରୁ ଜଣାଯାଇଥିଲେ ହେଁ ଏ ସଂଖ୍ୟା ଆହୁରି ବେଶି । ରାଜ୍ୟ ସରକାର ବିଦେଶରୁ ଫେରିଥିବା ବ୍ୟକ୍ତି ରେଜିଷ୍ଟ୍ରି କରି ନିଜ ବ୍ୟବସ୍ଥା ସଙ୍ଗ ନିରୋଧରେ ରହିଲେ ୧୫ହଜାର ଟଙ୍କା ଏବଂ ପ୍ରବାସୀ ଶ୍ରମିକମାନଙ୍କୁ ୧୪ଦିନ ସଙ୍ଗ ନିରୋଧ ପରେ ୨ହଜାର ଟଙ୍କା ଆର୍ଥିକ ସହାୟତା ଘୋଷଣା ହୋଇଥିଲା । କିନ୍ତୁ ଶ୍ରମିକମାନେ ସଙ୍ଗ ନିରୋଧ ସମୟ ଅତିବାହିତ ପରେ ୨ହଜାର ଟଙ୍କା ସାହାଯ୍ୟ ଅତ୍ୟନ୍ତ ନଗଣ୍ୟ ସ୍ଥାନରେ ପାଇଛନ୍ତି । କେତେକ କ୍ଷେତ୍ରରେ ୧ହଜାର ଟଙ୍କା ଓ ଅଧିକାଂଶ କ୍ଷେତ୍ରରେ ମୋଟେ ମିଳିନାହିଁ । ସେହିପରି ପ୍ରଥମେ ୧୪ଦିନ ପାଇଁ ସଙ୍ଗନିରୋଧ ପାଇଁ ଧାର୍ଯ୍ୟ ହୋଇଥିଲା ଏବଂ ଏଥିପାଇଁ ଖର୍ଚ୍ଚ ଅଟକଳ ମଧ୍ୟ କରାଯାଇଥିଲା । କିନ୍ତୁ ପରେ ୭ଦିନ ସରକାରୀ ସଙ୍ଗ ନିରୋଧ କେନ୍ଦ୍ର ଏବଂ ବାକି ୭ଦିନ ସଙ୍ଗ ନିରୋଧ ପାଇଁ ଘରେ ରହିବାକୁ କୁହାଗଲା । ତେଣୁ ଯେଉଁମାନେ ୭ଦିନ ସଙ୍ଗ ନିରୋଧରେ ରହିବେ ବା ରହିଛନ୍ତି ସେମାନଙ୍କୁ ୭ଦିନର ଖାଦ୍ୟ ଖର୍ଚ୍ଚ ରାଜ୍ୟ ସରକାର ବଣ୍ଟନ କରିବା ଦରକାର । ଜୁନ୍ ୧୫ତାରିଖ ପରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଆଇନ୍ ଅନୁଯାୟୀ ବର୍ଷା ଆଗମନ ଯୋଗୁ କାର୍ଯ୍ୟ ହୋଇପାରିବ ନାହିଁ ବ୍ୟବସ୍ଥା ଅଛି । ଏହାକୁ କୋହଳ କରି ସମସ୍ତ କୃଷି କାର୍ଯ୍ୟକ୍ରମକୁ ଏମ୍ଏନ୍ଇଆର୍ଜିଏ ଭୁକ୍ତକରି କର୍ମଯୋଗାଣ ପାଇଁ ବ୍ୟବସ୍ଥା ହେବା ଦରକାର । ଏହା ସମସ୍ତ ଦାବିକୁ ଭିତ୍ତିକରି ଆସନ୍ତା ଜୁନ୍ ୧୮ତାରିଖ ଦିନ ରାଜ୍ୟବ୍ୟାପୀ ପ୍ରତିବାଦ ଦିବସ ପାଳନ ପାଇଁ ସିପିଆଇ(ଏମ୍) ଓଡ଼ିଶା ରାଜ୍ୟ କମିଟି ଆହ୍ୱାନକ୍ରମେ ହିଲ୍ପାଟଣାସ୍ଥିତ ଲକ୍ଷ୍ମଣ ନାୟକ କୁମ୍ୟୁନିଟ୍ ପରିସରରେ ସିପିଆଇ(ଏମ୍)ର ବରିଷ୍ଠ ନେତା ଅଳିକିଶର ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଯୁଧିଷ୍ଠିର ବେହେରା, ବସନ୍ଦ ନନ୍ଦଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।