-
ସୋମବାର ୮କରୋନା ରୋଗୀ ଚିହ୍ନଟ, ୧୮ସୁସ୍ଥ
ବ୍ରହ୍ମପୁର : ଜିଲ୍ଲାରେ ସୋମବାର ୮ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ବର୍ତ୍ତମାନ ଜିଲ୍ଲାରେ ୬୯୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୩୧ଦିନରେ ୬୧୩ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୧ ଜଣ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ବର୍ତ୍ତମାନ ଜିଲ୍ଳାରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ôଚଛି । ତେବେ ରବିବାର ମଧ୍ୟରାତ୍ର ଠାରୁ ଆରମ୍ଭକରି ସୋମବାର ମଧ୍ୟରାତ୍ର ପର୍ଯ୍ୟନ୍ତ ରାଜ୍ୟ ବାହାରୁ ୧୦ଟି ଟ୍ରେନ ସୁରତରୁ ୬, ମୁମ୍ବାଇରୁ ୨, ଚେନ୍ନାଇରୁ ୧, ବାଙ୍ଗାଲୋରରୁ ୧ରୁ ଗୋଟିଏ ଲେଖାଏଁ ଟ୍ରେନ୍ ଆସିଛି । ଏଥିରେ ପ୍ରାୟ ୧୫ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଗଞ୍ଜାମକୁ ଆସିଛନ୍ତି । ଏମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପରେ ଜିଲ୍ଲାର ବିଭିନ୍ନ ସଙ୍ଗରୋଧ ଗୃହକୁ ୨୧ଦିନିଆ କ୍ୱାରାଣ୍ଟାଇନ୍ରେ ରହିବାକୁ ପଠାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ ପୋଲିସ ପ୍ରଶାସନର ଏହି ପ୍ରବାସୀ ଓଡ଼ିଆଙ୍କୁ ସ୍ୱାଗତ କରିବା ସହ କରାଯାଇଥିବା ବସ୍ରେ ସଙ୍ଗରୋଧ ଗୃହକୁ ପଠାଯାଇଛି । ପ୍ରବାସୀ ଓଡ଼ିଆ ଆସିବାବେଳେ ଯେପରି ବାହାର ଲୋକ ନ ପଶନ୍ତି ସେଥିନିମନ୍ତେ ଅଞ୍ଚଳକୁ ୧୪୪ ଧାରା ଘୋଷଣା କରାଯାଇଥିଲା । ବର୍ତ୍ତମାନ ଜିଲ୍ଲାକୁ ପ୍ରାୟ ୨ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଆସିଥିବା ବେଳେ ସେମାନଙ୍କୁ ୪ହଜାରରୁ ଊର୍ଦ୍ଧ୍ୱ ଅସ୍ଥାୟୀ ମେଡିକାଲ୍ କ୍ୟାମ୍ପ ବା ସଙ୍ଗରୋଧ ଗୃହରେ ରଖାଯାଇଛି । ସୂଚନାଥାଉକି, ରବିବାର ବାହାରିଥିବା ୮ଜଣ କରୋନା ରୋଗୀମାନଙ୍କ ସୂଚନା ଦେଇଛନ୍ତି ଜିଲ୍ଲାପାଳ । ସେମାନେ ହେଲେ ଗତ ୨ଦିନତଳେ ଜିଲ୍ଲାର ୮ଜଣ ବ୍ୟବସାୟୀଙ୍କ ଠାରୁ ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ସେମାନଙ୍କ ମଧ୍ୟରୁ ୮ଜଣଙ୍କ ଦେହରେ କରୋନା ପଜେଟିଭ ଥିବା ଜିଲ୍ଲାପାଳ ସୋମବାର ସକାଳେ ଟ୍ୱିଟ୍ ମାଧ୍ୟମରେ ଜିଲ୍ଲାବାସୀଙ୍କୁ ସୂଚନା ଦେଇଛନ୍ତି । ଦେଇଥିବା ସୂଚନା ପ୍ରକାରେ ବେଲଗୁଣ୍ଠା ବ୍ଲକ୍ର ୪ଜଣ, ଖଲ୍ଲିକୋଟର ୩ ଓ ପୋଲସରା ବ୍ଲକ୍ର ଜଣେ ଥିବାବେଳେ ସେମାନଙ୍କ ମଧ୍ୟରୁ ୪ଜଣ ଚା’ ଦୋକାନୀ, ୨ଜଣ ପରିବା ବ୍ୟବସାୟୀ ଓ କିରାଣୀ ଦୋକାନୀ ବୋଲି ସେ ସୂଚନା ଦେଇଛନ୍ତି । ଏମାନେ ସମସ୍ତେ କରୋନା ପଜେଟିଭ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ମଧ୍ୟ ସେ ସୂଚନା ଦେଇଛନ୍ତି ।