ଟାଙ୍ଗୀ– କୋରୋନା ମହାମାରୀ ଦିନକୁ ଦିନ ତାର କାୟା ବିସ୍ତାର କରିବାରେ ଲାଗିଛି ରାଜ୍ୟରେ ତଥା ସମଗ୍ର ଦେଶରେ । ରାଜ୍ୟରେ କୋରୋନା ସଂକ୍ରମଣ ହାର ତାଲିକାରେ ୨ୟରେ ରହିଛି ଖୋରଧା ଜିଲା । ଖୋରଧା ଜିଲା ଟାଙ୍ଗୀ ବ୍ଲକରେ ବି ସଂକ୍ରମଣର ହାର କିଛି କମ୍ ନୁହେଁ । ସେଥିପାଇଁ ଖୋରଧା ଜିଲ୍ଲା ପ୍ରଶାସନ ରଜ ପର୍ଵ ପାଳନ ସମୟରେ ସଂକ୍ରମଣକୁ ରୋକିବାକୁ ପଦକ୍ଷେପ ସ୍ବରୂପ ବିଭିନ୍ନ ଦେଵୀ ପୀଠରେ ୧୪୪ ଧାରା ଜାରି କରିଛନ୍ତି । ଫଳରେ ଓଡିଶାର ପ୍ରତିଷ୍ଠିତ ତନ୍ତ୍ର ପୀଠ ଭାବେ ଜଣାଶୁଣା ଟାଙ୍ଗୀ ବ୍ଲକ୍ ମୁଳୀଝର ଗଡର ମା ଉଗ୍ରତାରା ଦେବୀଙ୍କ ପୀଠ ଓ ସୋରଣ ସ୍ଥିତ ମା ଭଗବତୀଙ୍କ ପୀଠରେ ରଜଯାତ୍ରା ଫିକା ପଡିଛି । ଭକ୍ତ ଶୂନ୍ୟ ହୋଇପଡିଛି ଦୁଇ ପ୍ରମୁଖ ଶକ୍ତିପୀଠ । ପ୍ରତିବର୍ଷ ମା ଉଗ୍ରତାରା ଦେବୀଙ୍କ ପୀଠ ଓ ସୋରଣ ସ୍ଥିତ ମା ଭଗବତୀଙ୍କ ପୀଠରେ ରଜଯାତ୍ରା ଦୀର୍ଘ ପନ୍ଦର ଦିନ ଧରି ଚାଲିଥାଏ । ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ । କିନ୍ତୁ ଚଳିତ ବର୍ଷ କରୋନା ସଂକ୍ରମଣକୁ ଏଡାଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଦୁଇ ଶକ୍ତି ପୀଠରେ ଲାଗୁ ହୋଇଛି ୧୪୪ ଧାରା । ମାଙ୍କ ପୀଠକୁ ଭକ୍ତଙ୍କ ପ୍ରବେଶ ଉପରେ ରହିଛି କଟକଣା । ପୋଲିସ୍ ଫାଟକ ସମ୍ମୁଖରେ ତାଲା ପକାଇ ପଇନ୍ତରା ମାରୁଛନ୍ତି । ତେବେ ଏସଵୁ ଭିତରେ ମଧ୍ୟ ମା ଉଗ୍ରତାରାଙ୍କ ନୀତିକାନ୍ତୀ ସେବକଙ୍କ ଦ୍ବାରା ସୁଚାରୂ ରୂପେ ସମ୍ପାଦନ ହେଉଥିବା ସୂଚନା ମିଳିଛି । ଭୋର୍ ସମୟରେ ଦ୍ୱାର ଫିଟା ନୀତି ସମାପନ ହେବା ପରେ ମଙ୍ଗଳ ଆଳତୀ ସହ ମାଙ୍କର ସ୍ୱତନ୍ତ୍ର ରଜ ନୀତି କାନ୍ତୀ ଅନୁଷ୍ଠିତ ହୋଇଥିବା ଜଣା ପଡିଛି । ଏହା ସହ ମାଙ୍କ ନିକଟରେ ମଧ୍ୟାହ୍ନ ଧୂପ ଭୋଗ ଲାଗି ଅନୁଷ୍ଠିତ ହୋଇଯାଇଛି । ଏହା ସହ ଖୋରଧା ଜିଲ୍ଲା ପ୍ରଶାସନ ଡାକ ବାଜି ଯନ୍ତ୍ର ସାହାଯ୍ୟରେ ଲୋକ ମାନଙ୍କୁ ସୂଚନା ଦେଉଛି । 14,15,ଓ 16 ଏହି ତିନି ଦିନ ଲୋକମାନେ ରଜ ଉତ୍ସବ ପାଳନ ପାଇଁ ଜନ ଗହଳି କରନ୍ତୁ ନାହିଁ । ଜୁଆ ଖେଳ କିମ୍ବା କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ବାରଣ କରିଛି । ଯଦି କେହି ଏହି ନିୟମକୁ ଉଲଙ୍ଘନ କରନ୍ତି । ତେବେ ଆଇନ ଅନୁଯାୟୀ ଦଣ୍ଡିତ ହେବେ ବୋଲି ଖୋରଧା ଜିଲ୍ଲାପାଳ ସୀତାଶୁଂ ରାଉତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।