ନୂଆଦିଲ୍ଲୀ– ଦିଲ୍ଲୀରେ କରୋନା ରୋଗୀଙ୍କ ସଂଖ୍ୟା ୪୧ ହଜାର ଅତିକ୍ରମ କରିସାରିଛି । ଏହି ମାରାତ୍ମକ ରୋଗରେ ଦିନକୁ ଦିନ ଆହୁରି କାୟା ବସ୍ତାର କରୁଛି । ୧୩ ଶହରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି । କରୋନା ସଂକ୍ରମଣ ବଢ଼ିବା ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଛି । ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଅନେକ ପର୍ଯ୍ୟାୟରେ ବୈଠକ ବସିଛି ।
ଦିଲ୍ଲୀରେ କରୋନା ମୁକାବିଲା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସର୍ବଦଳୀୟ ବୈଠକ ଡାକିଛନ୍ତି । ଏହି ବୈଠକ ସକାଳ ୧୧ଟାରୁ ଆରମ୍ଭ ହେବ । ଏଥିରେ ଦିଲ୍ଲୀର ବିଜେପି, ଆମ ଆଦମୀ ପାର୍ଟି, କଂଗ୍ରେସ ଓ ବିଏସପିର ସଭାପତି ଉପସ୍ଥିତ ରହିବେ । ଏହା ପୂର୍ବରୁ ଦିଲ୍ଲୀରେ କରୋନାରୁ ମୁକ୍ତି ପାଇବାକୁ ନେଇ ଗୃହମନ୍ତ୍ରୀ ରବିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହିତ ବୈଠକ କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ପରେ ଗୃହମନ୍ତ୍ରୀ ଶାହା ସନ୍ଧ୍ୟା ୫ଟାରେ ନଗର ନିଗମର ମେୟର ଓ ଅଧିକାରୀଙ୍କ ସହିତ ବୈଠକରେ କରୋନା ସଂପର୍କିତ ଆଲୋଚନା କରିଥିଲେ । ଏହି ବୈଠକରେ ଉପରାଜ୍ୟପାଳ ଅନିଲ ବୈଜଲ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ମଧ୍ୟ ଉପସ୍ଥିତ ଥିଲେ । ବୈଠକରେ କରୋନା ମୁକାବିଲା ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଥିଲା । ବେଡକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ୫୦୦ ଆଇସୋଲେଶନ କୋଚ କରାଯିବାକୁ ପ୍ରସ୍ତୁତି ହୋଇଛି । ଏଥିରେ ୮୦୦୦ ବେଡ ହେବ । ଏଥି ସହିତ ୨ ଦିନରେ କରୋନା ନମୁନା ପରୀକ୍ଷା ୨ ଗଣୁ ଓ ୬ ଦିନରେ ୩ ଗୁଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।